ଅଁଳାଭଟା ଗାଇଧାର ନଦୀ ଉପରେ ପୋଲ କେବେ ?

  • ଭାଙ୍ଗିକି ବିତିଗଲା ୬ ବର୍ଷ

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଚିତ୍ରସେନ ବାଗ) : ସରକାର ଗ୍ରାମାଞ୍ଚଳରେ ଯାତାୟାତ ପାଇଁ କୋଟି କୋଟି ଖର୍ଚ୍ଚ କରି ରାସ୍ତାଘାଟ ନିର୍ମାଣ କରିଛନ୍ତି କିନ୍ତୁ ତାହାର ସଠିକ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଲୋକେ ହନ୍ତସନ୍ତ ହେଉଛନ୍ତି।ଏଭଳି ଘଟଣା ଦେଖିବାକୁ ମିଳିଛି ଜୟପାଟଣା ବ୍ଳକ ଅଁଳାଭଟା ଗାଁ ଠାରେ। ଅଁଳାଭଟା ଗାଁଠାରୁ ବତାସୀଗୁଡା, ନୂଆଁପଡ଼ା, ପିପଲଗୁଡ଼ା, ବଡପୁଝାରିଗୁଡାକୁ ଯାଇଥିବା ପ୍ରଧାନମନ୍ତ୍ରୀ ରାସ୍ତା ବର୍ତ୍ତମାନ ଶୋଚନୀୟ ହୋଇପଡିଥିବା ବେଳେ ଗାଇଧାର ନଦୀ ଉପରେ ନିର୍ମାଣ ହୋଇଥିବା ପୋଲ ଦୀର୍ଘ ୬ ବର୍ଷ ହେଲା ଭାଙ୍ଗି ଯାଇଛି।ଏ ନେଇ ସ୍ଥାନୀୟ ଜନସାଧାରଣ ଅନେକ ଥର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ ଙ୍କ ଠାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। ବ୍ରିଜ ନଥିବା ଯୋଗୁଁ ଅଳ୍ପ ବର୍ଷା ହେଲେ ଯିବା ଆସିବା ବନ୍ଦ ହୋଇଯାଏ।ରାସ୍ତା ନିର୍ମାଣ କରିବା ସମୟରେ ପୋଲ ନିର୍ମାଣ କରାଯାଇଥିଲା କିନ୍ତୁ ଆବଶ୍ୟକ ଗାର୍ଡୱାଲ ନଥିବା ଯୋଗୁଁ ପାଣିର ସୁଅ ପୋଲକୁ ଅଧା ଭାଙ୍ଗିଦେଲା। ଏ ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ ଙ୍କୁ ମରାମତି ପାଇଁ କହିଥିଲେ କିନ୍ତୁ ଅଦ୍ୟାବଧି କେଉଁ କାରଣରୁ ତାହାକୁ ଅଣଦେଖା କରାଯାଇଛି ତାହା ହିଁ ବିଡ଼ମ୍ବନା ର ବିଷୟ।ପ୍ରତି ଆର୍ଥିକ ବର୍ଷରେ ରାସ୍ତା ଗୁଡିକର, ଏଚଡିବିସି, ସାମୟିକ ମରାମତି ଭଳି କାର୍ଯ୍ୟ ଦର୍ଶାଇ କୋଟି ଟଙ୍କା ଖର୍ଚ୍ଚ କରୁଛି ଗ୍ରାମ୍ୟ ଉନ୍ନୟନ ବିଭାଗ କିନ୍ତୁ ଏଭଳି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ପୋଲ ନିର୍ମାଣ ଦିଗରେ କାହିଁକି ଅବହେଳା କରାଯାଇଛି ତାହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି।ଉକ୍ତ ରାସ୍ତା ଦେଇ ସ୍ଥାନୀୟ ଲୋକେ ବଡ଼ପୁଝାରିଗୁଡା ଗାଁରେ ଥିବା ବ୍ୟାଙ୍କ, ସମବାୟ ସମିତି ସହ ବଜାର, ହସ୍ପିଟାଲ ଲୋକେ ଯିବା ଆସିବା କରୁଥିବା ବେଳେ ସ୍କୁଲ କଲେଜ ଛାତ୍ର ଛାତ୍ରୀ ମାନେ ମଧ୍ୟ ଏହି ରାସ୍ତା ଉପରେ ନିର୍ଭର କରନ୍ତି।କିନ୍ତୁ ନଦୀ ଉପରେ ପୋଲ ନଥିବାରୁ ଲୋକେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସବୁ କାମ ପାଇଁ ଦୀର୍ଘ ୧୦ କିମି ବୁଲିକି ଲୋକଙ୍କୁ ଯିବାକୁ ପଡୁଛି।ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି।