ନୁଆଁଖାଇଲେ ଅଲେଖ ମହିମା ଧର୍ମାବଲମ୍ବୀ

ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଧର୍ମଗଡ଼ ବ୍ଲକ, ଜୟନ୍ତପୁର ସ୍ଥିତ ଅଲେଖ ମହିମା ମଠରେ ଅଲେଖ ମହିମା ଧର୍ମାବଲମ୍ବୀଙ୍କ ଶ୍ରାବଣ ପୂର୍ଣ୍ଣିମା ତଥା ସାମୁହିକ ନବାନ୍ନ ଭକ୍ଷଣ ପର୍ବ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଛି। ଏହି ସାମୁହିକ ନବାନ୍ନ ଭକ୍ଷଣ ପର୍ବରେ ଜୟନ୍ତପୁର ତଥା ଅଞ୍ଚଳର ଶତାଧିକ ଅଲେଖ ମହିମା ଧର୍ମା ବଲମ୍ବୀ ଭକ୍ତମାନେ ଯୋଗଦାନ କରିଥିଲେ। ଶୁକ୍ରବାର ରାତିରେ ପୂଜ୍ୟ ସାଧୁ ହର ବାବା ଏବଂ ସାଥୀ ବାବାଙ୍କ ଦ୍ଵାରା ଅଖଣ୍ଡ ବ୍ରହ୍ମ ଧୁନି ପ୍ରଜ୍ବଳନ ହୋଇଥିଲା। ଏହି ଅବସରରେ ସମସ୍ତ ଭକ୍ତବୃନ୍ଦ ପ୍ରଭୁଙ୍କ ନାମ ସ୍ମରଣ, ଭଜନ, କୀର୍ତ୍ତନ କରିବା ସହ ପ୍ରଭୁଙ୍କର ଆଶୀର୍ବାଦ କାମନା କରିଥିଲେ। ଶନିବାର ସକାଳେ ବ୍ରହ୍ମ ମୁହୂର୍ତରେ ଅଲେଖ ମହିମା ପ୍ରଭୁଙ୍କୁ ପଣାପାଣି ଅର୍ପଣ କରି ସମସ୍ତ ଅଲେଖ ମହିମା ଭକ୍ତମାନେ ପୂଜ୍ୟ ସାଧୁ ହର ବାବାଙ୍କ ହସ୍ତରୁ ନବାନ୍ନ ପ୍ରସାଦ ଗ୍ରହଣ କରି ସାମୁହିକ ନବାନ୍ନ ଭକ୍ଷଣ କରିଥିଲେ। ପରେ ଅଲେଖ ମହିମା ମନ୍ଦିର ପରିଚାଳନା କମିଟି ଗଠନ କରାଯାଇଥିଲା। ସର୍ବସମ୍ମତି କ୍ରମେ ବଡଭାଇ ଭାବେ ହରିପ୍ରକାଶ ଭକ୍ତ, ଅଧିକାରୀ ଭାବେ ଧର୍ମାନନ୍ଦ ଭକ୍ତ, ଟହଳିଆ ଭାବେ ଈଶ୍ୱର ଭକ୍ତ, ସଭାପତି ଭାବରେ ଦିଗାମ୍ବର ଭକ୍ତ, ସାଧାରଣ ସମ୍ପାଦକ-ଭାବେ ପବିତ୍ର ଭକ୍ତ, ସମ୍ପାଦକ ଭାବରେ ରୁପେନ୍ଦ୍ର ଭକ୍ତଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା।ପାଳିତ ହୋଇଥିବା ଏହି ଶ୍ରାବଣ ପୂର୍ଣ୍ଣିମା ତଥା ସାମୁହିକ ନବାନ୍ନ ଭକ୍ଷଣ ପର୍ବରେ ଜୟନ୍ତପୁର ସମେତ ଦଣ୍ଡପାଟ, ଦେଭୋଗ, ପାନାବେଡା, କୋକସରା ଅଂଚଳର ଶତାଧିକ ଭକ୍ତ ମାନେ ଯୋଗଦେଇଥିଲେ।