ପିଡିଏସ୍ ଚାଉଳ ଆଣିବା ବେଳେ ଭାରସାମ୍ୟ ହରାଉଥିବା ଟ୍ରାକର ଅଳ୍ପକେ ବର୍ତ୍ତିଲା

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍: ଛଅ ଟଙ୍କା ଘୋଡାକୁ ନଅ ଟଙ୍କା ଦାନା ତା ସହିତ ବିପଦ ହିଁ ବିପଦ ଭଳି ସମସ୍ୟାରେ ରହିଥିବା ଦୁର୍ଗମ ଲୋକଙ୍କ ଦୁଃଖ ବୁଝିବ କିଏ? ୫ କେଜିର ପିଡିଏସ୍ ଚାଉଳ ପାଇଁ ୧୦୦ ଟଙ୍କା ଭଡା ଖର୍ଚ୍ଚ।ଏଭଳି ଏକ ଦୟନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଦୁର୍ଗମ ସିଲେଟ ଗ୍ରାମ ପଞ୍ଚାୟତର ଦୁର୍ବେଲଗୁଡା ଏବଂ ଝାଞ୍ଜି ଗ୍ରାମକୁ ସଂଯୋଗ କରୁଥିବା ଉଚ୍ଚନୀଚ ପାହାଡିଆ ନାଗରିଭଟା ରାସ୍ତାରେ। ଦୁର୍ବେଲଗୁଡା ଏବଂ ଝାଞ୍ଜି ଗ୍ରାମର ଲୋକେ ସିଲେଟ ସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ପ୍ରତିଥର ଭଳି ଏଇ ରାସ୍ତାରେ ଚାଉଳ ନେଇ ଟ୍ରାକ୍ଟର ଭଡା କରି ନେଉଥିବା ବେଳେ ଖାଲ ଢିପର ବିପଦପୂର୍ଣ୍ଣ ରାସ୍ତାରେ ଚାଉଳ ବୋଝେଇ ଟ୍ରାକରଟି ଭାରସାମ୍ୟ ହରାଉଥିବା ଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଥିଲା। ଗୋଟିଏ ପଟରେ ରାସ୍ତାଟି ସମ୍ପୂର୍ଣ୍ଣ ଶୋଚନୀୟ ଥିବାବେଳେ ମଝିରେ ପ୍ରବାହିତ ହେଉଥିବା ନାଗାବଳୀ ନଦୀ ରାସ୍ତାକୁ ଅବରୋଧ କରିବା ସହିତ ନଦୀ ପାରି ହେବା ସମୟରେ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି କରୁଛି। ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଏହି ରାସ୍ତା ଏବଂ ନାଗାବଳୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ବାରମ୍ବାର ଦାବି ହେଇଆସୁଛି।ବର୍ଷା ଦିନେ ସାଂଘାତିକ ସମସ୍ୟା ଭୋଗୁଥିବା ଏଇ ଇଲାକା ଏକ ବିଚ୍ଛିନାଞ୍ଚଳ ପାଲଟିଥାଏ।ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *