କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଚେନ୍ନାଇ ସହରକୁ ଦାଦନ ଖଟିବାକୁ ଯାଇଥିବା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଦୁର୍ଗମ କୁଟୁରୁ ଗ୍ରାମର ଜଣେ ନାବାଳକ ଶ୍ରମିକର ମୃତ୍ ଦେହ ନିଜ ଭିଟାମାଟିକୁ ଫେରିଛି। ମୃତ ନାବାଳକ ଜଣକ ସ୍ବର୍ଗତ ବାଲଚନ୍ଦ ମାଝୀଙ୍କ ପୁଅ ଡମ୍ବରୁ ମାଝି(୧୭) ବୋଲି ଜଣାପଡ଼ିଛି।ସେ’ ଗତ କିଛି ଦିନ ତଳେ ଜଣେ ଦାଦାନ ସର୍ଦ୍ଦାରଙ୍କ ପ୍ରଲୋଭନରେ ପଡ଼ି ଚେନ୍ନାଇ ସହରର ପଣ୍ଡିଚେରୀର ଏକ ଠିକା ସଂସ୍ଥାରେ ଶ୍ରମିକ ଭାବେ ନିୟୋଜିତ ରହିଥିଲେ। ତେବେ ଗତ ସୋମବାର ଦିନ କୋଠା କାମ କରୁଥିବା ସମୟରେ ଛାତରୁ ପଡି ନାବାଳକ ଶ୍ରମିକର ମୃତ୍ୟୁ ହୋଇଥିବା ଜଣାପଡିଛି। ଠିକା ସଂସ୍ଥାର ସହାୟତାରେ ବୁଧବାର ଆମ୍ବୁଲାନ୍ସ ଯୋଗେ ନାବାଳକ ଶ୍ରମିକର ମର ଶରୀର ନିଜ ଭିଟାମାଟିକୁ ଫେରିଛି। ଶବ ଫେରିବା ପରେ ପରିବାର ଓ ସମ୍ପର୍କୀୟ ମାନେ କ୍ଷତିପୂରଣ ଦାବିରେ ଆମ୍ବୁଲାନ୍ସକୁ ଅଟକ ରଖି ପରେ ଛାଡିଥିବା ଜଣାପଡିଛି। ଅନ୍ୟପଟେ ବାପା ମାଁ ଛେଉଣ୍ଡ ନାବାଳକ ଶ୍ରମିକ ଡମ୍ବରୁଙ୍କ ମୃତ୍ୟୁ ପରେ ପୁରା ଗାଁ ଦାଣ୍ଡ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା। ସୂଚନା ଯେ’ ମୃତ ନାବାଳକ ଶ୍ରମିକର ବାପା ମା’ଙ୍କ ମୃତ୍ୟୁ ପରେ ସାନ କାକା ସଦନ ମାଝୀଙ୍କ ଘରେ ନିଜ ସାନ ଭାଇଙ୍କ ସହିତ ରହୁଥିଲେ। ତେବେ ପରିବାରର ଆର୍ଥିକ ଅଭାବ କାରଣରୁ ନାବାଳକ ପୁଅ ଜଣେ ଦାଦାନ ସର୍ଦ୍ଦାରଙ୍କ ପ୍ରଲୋଭନରେ ପଡ଼ି ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଥିବା ଜଣାପଡିଛି।