କେସିଙ୍ଗା,କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାରେ ନୂତନ ଶ୍ରେଣୀ ଗୃହ ମୁଖ୍ୟ ଅତିଥି ମାନ୍ୟବର ସ୍କୁଲ ଓ ଗଣ ଶିକ୍ଷା ବିଭାଗ , ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବିଭାଗ , ସଂଖ୍ୟା ଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡିଶା ସରକାର ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କ କର କମଳରେ ଉଦ୍ ଘାଟିତ ହୋଇଯାଇଛି । ଉତ୍ତମ ଶିକ୍ଷା ହିଁ ଗୁଣାତ୍ମକ ଜୀବନର କଷଟି ପଥର ବୋଲି ଶ୍ରୀଯୁକ୍ତ ଗଣ୍ଡ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ ଏବଂ ଜୀବନ ଚଲାପଥରେ ଆସୁଥିବା ସମସ୍ତ ବାଧାବିଘ୍ନଗୁଡିକୁ ଦୃଢ ନିଷ୍ଠା ଓ ସଙ୍କଳ୍ପ ଦ୍ବାରା ପ୍ରତିହତ କରିବା ନିମନ୍ତେ ଉପସ୍ଥିତ ଛାତ୍ରୀ ତଥା ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ଅବସରରେ କଳାହାଣ୍ଡି ଲୋକସଭା ସଦସ୍ୟା ଶ୍ରୀମତୀ ମାଳବିକା ଦେବୀ ସ୍ଵତନ୍ତ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇ ଶିକ୍ଷା ଅଧିକାର ଅଧିନିୟମ ଅନୁଯାୟୀ ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ଓ ସାମଗ୍ରିକ ବିକାଶ ସୁନିଶ୍ଚିତ କରିବାରେ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନାବଦ୍ଧ ପ୍ରୟାସ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଅନୁପମ ସାହା ସ୍ଵତନ୍ତ୍ର ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ଛାତ୍ରୀମାନଙ୍କୁ ଅଧ୍ୟବସାୟ ଓ ଅଭ୍ୟାସ ବଳରେ ସଫଳତାର ସ୍ବାଦ ହାସଲ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶ ମାନବ ଜୀବନରେ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ନିଜ ଅଭିଭାଷଣରେ ମନ୍ତବ୍ୟ ରଖିଥିଲେ। ଏହି ସମାରୋହରେ କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର୍, ଏନ୍.ଏ.ସି. କାର୍ଯ୍ୟ ନିର୍ବାହୀ ଅଧିକାରୀ , ଗୋଷ୍ଠୀ ଶିକ୍ଷା ଅଧିକାରୀ, ଦକ୍ଷିଣ ବନଖଣ୍ଡ ବନାଞ୍ଚଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ତଥା ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର କୁମାର ବେହେରା ସ୍ବାଗତ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏବଂ ଶିକ୍ଷକ ଜି. କ୍ରିଷ୍ଣା ରେଡି ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।