ସିଟିଜନ ଫୋରମର ବୈଠକ : ଯୋଗଦେଲେ ଜିଲ୍ଲାପାଳଙ୍କ ସମେତ ବହୁ ଅଧିକାରୀ

କେସିଙ୍ଗା ବିକାଶର ଅଗ୍ରଗତି ସମ୍ପର୍କରେ ହେଲା ଆଲୋଚନା

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ୨୦୧୨ ମସିହାରୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଓ ଆଖପାଖ ଅଂଚଳର ଛୋଟ ବଡ଼ ସମସ୍ୟା ଓ ତାହାର ସମାଧାନ ପାଇଁ ନିଜକୁ ସମର୍ପିତ କରିଥିବା କେସିଙ୍ଗା ସିଟିଜନର ଏକ ବୈଠକ ଫୋରମ୍ ସଭାପତି ଡାକ୍ତର ହେମସାଗର ସାହାଙ୍କ ସଭାପତିତ୍ବରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଯୋଗଦେଇ ସମୁଦାୟ ୧୩ ଗୋଟି ଛୋଟ ବଡ଼ ସମସ୍ୟା ଉପରେ ଆଲୋଚନା କରିବା ସହ ସଂପୁକ୍ତ ବିଭାଗୀୟ ଅଧିକାରୀ ମାନଙ୍କଠାରୁ ସମସ୍ୟାର ଅଗ୍ରଗତି ସମ୍ପର୍କରେ ଫୋରମ୍ କୁ ଅବଗତ କରାଇଥିଲେ। କେସିଙ୍ଗା ମେଡିକାଲ ଠାରୁ ଆରମ୍ଭ କରି ଅଞ୍ଚଳର ରାସ୍ତା ଘାଟ, ଅଣ୍ଡର ବ୍ରିଜ,ଆଦର୍ଶ ବିଦ୍ୟାଳୟ ପାଇଁ ରାସ୍ତା ନିର୍ମାଣ, ତହସିଲ କାର୍ଯ୍ୟାଳୟରେ ବିଶ୍ରାମ ଗୃହ, ମାଁ ଯୋଗମାୟା ପୀଠ ଓ ପୁରାତନ ବେଲଖଣ୍ଡୀ ରେ ଅବସ୍ଥିତ ସପ୍ତମାତୃକା ଶୈବ ପୀଠର ଉନ୍ନତିକରଣ ସହିତ ପର୍ଯ୍ୟଟନ ସ୍ଥଳୀ ଘୋଷଣା ଏମିତି ଅନେକ ବିଷୟ ଉପରେ ସିଟିଜନ ଫୋରମ୍ ପକ୍ଷରୁ ଉଠାଯାଇଥିବା ଦାବୀ ଉପରେ ବିଭାଗୀୟ ଅଧିକାରୀ ମାନେ ନିଜର ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ସହିତ ଫୋରମ୍ ସଦସ୍ୟ ଙ୍କୁ ଅବଗତ କରାଇଥିଲେ।ସମସ୍ତ ବିଷୟ ଉପରେ ଆଲୋଚନା ହୋଇଥିଲେ ମଧ୍ୟ ମୁଖ୍ୟତଃ ଅବ୍ୟବସ୍ଥା ଘେରରେ ଥିବା କେସିଙ୍ଗା ମେଡିକାଲ୍ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲା ସ୍ତରରୁ ଆସିଥିବା ଅଧିକାରୀ ମେଡିକାଲ ର ବିଭିନ୍ନ ବିଷୟ ଉପରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବା ସହିତ ଫୋରମ୍ କୁ ଜଣାଇଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଆଇ ଏ ଏସ( ପ୍ରବେସନର) ଅନୀମେଶ ପ୍ରଧାନ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ ବିଡ଼ିଓ ଜନ୍ମେଜୟ ସ୍ୱାଇଁ,କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟଙ୍କ ସମେତ ଫୋରମ୍ ର ସଦସ୍ୟ ବୁଦ୍ଧିଜିବୀ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଶେଷରେ ମଞ୍ଚ ପରିଚାଳନା ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ଫୋରମ୍ ସମ୍ପାଦକ ବି ଚନ୍ଦ୍ରଶେଖର ଆଚାରୀ।