ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ପୋଲିସ ପକ୍ଷରୁ ସ୍ଥାନୀୟ ମା ମାଣିକେଶ୍ବରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠଙ୍କ ଅଧ୍ୟକ୍ଷତାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥ୍ଲା। ଥୁଆମୂଳ ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲି ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଦ୍ୟାଳୟର ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଆତ୍ମହତ୍ୟା ନିରୋଧ ସମ୍ପର୍କରେ ବୁଝାଇଥିଲେ। ଜୀବନରେ ଯେକୌଣସି ପ୍ରତିକୂଳ ପରିସ୍ଥିତିକୁ ଦୃଢ଼ତାର ସହିତ ମୁକାବିଲା କରିବାକୁ ପଡିବ। ମାନସିକ ସ୍ତରରେ ନିଜକୁ ନିୟନ୍ତ୍ରଣ କରିବାକୁ ପଡିବ। ଆତ୍ମହତ୍ୟା ଏକ ବିକଳ୍ପ ନୁହଁ ବରଂ ଏହା ସବୁଠାରୁ ବଡ ପାପ। ନିଜ ଜୀବନ ଉପରେ କେବଳ ନିଜର ଅଧିକାର ବୋଲି ଭାବିବା ଉଚିତ ନୁହଁ। ବାପା ମାଆ ପରିବାର ତଥା ନିଜ ସମ୍ପର୍କୀୟ ଏପରିକି ଏଇ ସମାଜ ପାଇଁ ଆମକୁ ବଞ୍ଚିବାକୁ ପଡିବ ବୋଲି ଅତିଥି ମାନେ ଉଦବୋଧନ ଦେଇଥିଲେ। କୌଣସି ଛାତ୍ରୀ ଯଦି କୌଣସି ପ୍ରକାରର ଶାରୀରିକ ଶୋଷଣର ଶିକାର କିମ୍ବା ଅସୁବିଧାର ସମ୍ମୁଖୀନ ହୁଏ ତାହେଲେ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନ ନେଇ ଏହାର କିପରି ମୁକାବିଲା କରିପାରିବ । ନିଜ ପରିବାରକୁ ଜଣାଇବା ସହ ଏକାଠି ଏହାର ନିରୋଧ ତଥା ପୋଲିସର ଟୋଲ ଫ୍ରି ହେଲ୍ସଲାଇନ ନମ୍ବରର ଉପଯୋଗ କରିପାରିବେ ବୋଲି ଥାନା ଅଧିକାରୀ ଶ୍ରୀ ସେଠ୍ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଉକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା,ଥାନା ସବ୍ ଇନ୍ସପେକ୍ଟର ରଶ୍ମୀରଞ୍ଜନ ବାଗ, ଅଧ୍ୟାପକ ସରୋଜ ପଟ୍ଟଯୋଶୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଅଧ୍ୟାପକ ବବୃବାହାନ ବୁଦ୍ଧିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ସଭା ପରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନେକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।