କଲମପୁରଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଶିବିର

କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ସୋମବାର ଅନୁଷ୍ଠିତ ହୋଇଛି। ଶିବିର ଆରମ୍ଭ  ପୂର୍ବରୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ କଲମପୁର ମୋଦିନୀକା ଦେବୀ +୩ ଡିଗ୍ରୀ କଲେଜରେ ଆକାଂକ୍ଷା କାର୍ଯ୍ୟକ୍ରମ ହେବାକୁ ଥିବା ସ୍ଥାନ ପରିଦର୍ଶନ କରିଥିଲେ। ଏବଂ ପରେ କଲମପୁରରେ ନବ ନିର୍ମିତ ହେଉଥିବା ଶହେ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା କାର୍ଯ୍ୟ ପରିଦର୍ଶନ କରିଥିଲେ। ପରେ ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ବ୍ୟକ୍ତିଗତ ୨୬ ଏବଂ ସାମୂହିକ ୧୬ ଗୋଟି ମୋଟ ୪୨ ଗୋଟି ଆପତ୍ତି ଅଭିଯୋଗ ଶୁଣିଥିଲେ। ମିନଗୁର ପଞ୍ଚାୟତର ୪ ଜଣକୁ ଭତ୍ତା ପ୍ରଦାନ କରାଯାଇଥିଲା ଏବଂ ମଣ୍ଡଳ ପଞ୍ଚାୟତର ଗଜାନନ ବାଗ କୁ ହୁଇଲ ଚେୟାର ପ୍ରଦାନ କରାଯାଇ ଥିଲା। ପରେ ଆନ୍ତରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ରଥ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶିବିରରେ ଜିଲ୍ଲାପାଳଙ୍କ ସମେତ  ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ, ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବରକୁଣ୍ଡା, ଉପ -ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ଜିଲ୍ଲା ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାୟକ, ସମିତି ଅଧ୍ୟକ୍ଷା ଜ୍ୟୋତି ନାଏକ, ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ବିଡ଼ିଓ ବିଜୟ କୁମାର ମାଡାଙ୍ଗୀ, ତହସିଲଦାର ସ୍ମରଣିକା ତୁଳ ତଥା ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଏବଂ ବ୍ଲକ ଅଧିକାରୀ ସମୂହ ଉପସ୍ଥିତ ରହିଥିଲେ। ସୋମବାର ସକାଳୁ ବର୍ଷା ଲାଗିରହିଥିବା କାରଣରୁ ଅଭିଯୋଗ କାରି ମାନେ ବହୁ ପରିମାଣରେ ଶିବିରରେ ଆସିପାରି ନଥିଲେ।