କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ନୂଆଗାଁ ପଞ୍ଚାୟତରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ତଥା ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲମପୁର ବ୍ଲକ ସଂଗଠନ ସଭାପତି ପଦ୍ମକିଶୋର ନାଏକଙ୍କ ଆବାହନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ରାଜୀବ ଗାନ୍ଧୀଙ୍କ ଫୋଟୋ ଚିତ୍ରରେ ଦୀପ ପ୍ରଜ୍ୱଳନ ସହ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଅବସରରେ ରାଜୀବ ଗାନ୍ଧୀଙ୍କ ଦ୍ୱାରା ଦେଶର ଉନ୍ନୟନ ଓ ଜନମଙ୍ଗଳ ପାଇଁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। ବିଶେଷ କରି ତାଙ୍କ ନେତୃତ୍ୱରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା, ଗ୍ରାମୀଣ ଉନ୍ନୟନ, ଶିକ୍ଷା ଓ ମହିଳା କଲ୍ୟାଣ, ତଥା ଭାରତକୁ ଆଧୁନିକ ଓ ସୁଚନା ପ୍ରଯୁକ୍ତି ଯୁଗରେ ଆଗେଇ ନେବା ପାଇଁ ତାଙ୍କର ଅବଦାନକୁ ସ୍ମରଣ କରାଯାଇଥିଲା। ୧୯୮୬ରେ ସୂଚନା ଅଧିକାର ଆଇନର ମୂଳ ଭିତ୍ତି ପ୍ରସ୍ତୁତ କରିବା, ମହିଳାଙ୍କ ପାଇଁ ପଞ୍ଚାୟତରେ ୩୩% ସଂରକ୍ଷଣ, ଏବଂ ଗ୍ରାମୀଣ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଯୋଗ ବ୍ୟବସ୍ଥାର ବିସ୍ତାର ଭଳି ତାଙ୍କର ଦୂରଦୃଷ୍ଟିପୂର୍ଣ୍ଣ ପଦକ୍ଷେପଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ଜିଲ୍ଲା ସହ-ଆବାହକ ବେଣୁପାଣି ଦୁର୍ଗା, ସମାଜସେବୀ ରବି ନାରାୟଣ ବେହେରା, ଭାଗିରଥି ସୁନାନୀ, କଲାକାହୁଁ କଣ୍ଟା, ଚନ୍ଦ୍ରଧ୍ୟଜ ନିଆଁଲ, କୈଳାସ ନିଆଁଳ ପ୍ରମୁଖଙ୍କ ସହିତ ଅଞ୍ଚଳର ଅନେକ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଜୀବ ଗାନ୍ଧୀଙ୍କ ଆଦର୍ଶ ଓ ଦୂରଦୃଷ୍ଟିକୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।