ପ୍ରବଳ ବର୍ଷାରେ ଧୋଇଗଲା ସରମାଣ୍ଡି ଉଭୟ ପଡାର ସଂଯୋଗ ରାସ୍ତା

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଦୁର୍ଗମ ସିଲେଟ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ପ୍ରବଳ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି।ରବିବାର ଅପରାହ୍ନରେ ହୋଇଥିବା ପ୍ରବଳ ବର୍ଷା ପ୍ରଭାବରେ ପଞ୍ଚାୟତର ସରମାଣ୍ଡି ଗ୍ରାମର ଉପର ପଡା ଏବଂ ଗୁଡି ପଡାକୁ ସଂଯୋଗ କରୁଥିବା ମାଟି ରାସ୍ତା ଧୋଇନେଇଛି।ଫଳରେ ଉଭୟ ପଡାବାସୀଙ୍କ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧା ସୃଷ୍ଟି ହେଉଛି।ଚିର ଅବହେଳିତ ଅବସ୍ଥାରେ ରହିଥିବା ଏହି ଗାଁର ବିକାଶ ପାଇଁ ନା ଜନ ପ୍ରତିନିଧି ନା ପ୍ରଶାସନ କାହାରି ମଧ୍ୟ ଆଜିଯାଏ ଦୃଷ୍ଟି ପଡିପାରିନି ଯାହା ବିଡମ୍ବନାର ବିଷୟ।
ସିଲେଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏହି ଗ୍ରାମକୁ ସଂଯୋଗ କରିବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ସଡକ ଅଧବାଟରେ ଦରଖଣ୍ଡିଆ କରି ଛାଡି ଦିଆଯାଇଛି। ବର୍ଷା ଦିନେ ସମସ୍ୟା ସାଙ୍ଘାତିକ ହୋଇଥାଏ। ବିକାଶ ମଧ୍ୟ ସେଇ ଅଧବାଟରୁ ଅଦୃଶ୍ୟ ହୋଇଯାଏ।ଗାଁରେ ଉନ୍ନୟନ ମୂଳକ କାର୍ଯ୍ୟର ମୁଠାଏ ସିମେଣ୍ଟ କଂକ୍ରିଟର ଚିହ୍ନ ନଥିବା ବେଳେ ଏଇ ପାଦଚଲା ବାଟର କଥା କିଏ ପଚାରେ। ହେଲେ ବର୍ତ୍ତମାନ ଉଭୟ ପଡାକୁ ସଂଯୋଗ କରୁଥିବା ରାସ୍ତାକୁ ପକ୍କା କରାଯିବା ପାଇଁ ଖସଡା ପ୍ରସ୍ତୁତ ହୋଇଛି ବୋଲି ପିଇଓ ମୁକେଶ ପୁଟେଲ୍ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *