କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଜୟପାଟଣା ବ୍ଲକ ଉଛଳା କାଳୀକୃଷ୍ଣ ସଂଘ ଶାଖାଠାରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଭେଟଘାଟ ଅବସରରେ ସଂଘର ବେଦବ୍ରହ୍ମା ସରୋଜାନନ୍ଦଙ୍କ ଦ୍ଵାରା ଲିଖିତ ଓ ସଂଘ ପରିଚାଳକ ପୂଜ୍ୟଶ୍ରୀ ଜଗଦାନନ୍ଦଜୀଙ୍କ ଦ୍ଵାରା ପ୍ରକାଶିତ ପୁସ୍ତକ ‘ଶ୍ରୀଶ୍ରୀ ସତ୍ୟାନନ୍ଦ ଦର୍ଶନ’ ଉନ୍ମୋଚିତ ହୋଇଛି। ସଂଘ ତରଫରୁ ଗୁରୁଜୀ ଓ ଅତିଥି ମାନଙ୍କୁ ସ୍ବାଗତ ପରେ ଗୁରୁ ପୂଜନ ଅନୁଷ୍ଠିତ ହୋଇଥିଲା। ଏହାପରେ ସଂଘ ପରିଚାଳକ ଶ୍ରୀ ଜଗଦାନନ୍ଦଜୀ, ବେଦବ୍ରହ୍ମା ସରୋଜାନନ୍ଦ ଜୀ, ସଭାପତି ସଂଜୟ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ହୋଇଥିଲେ। କାଳୀକୃଷ୍ଣ ସଂଘ ପ୍ରତିଷ୍ଠାତା ସଦଗୁରୁଦେବ ସତ୍ୟାନନ୍ଦ ସରସ୍ଵତୀ ମହାରାଜ ପ୍ରକୃତିର ସଂରକ୍ଷଣ ପାଇଁ ୪୨ ବର୍ଷ ଧରି ମହାବିଷ୍ଣୁ ଯଜ୍ଞର ଆୟୋଜନ କରିଆସୁଛନ୍ତି। ବର୍ଷର ବିଭିନ୍ନ ସମୟରେ ବୃକ୍ଷ ରୋପଣ କରି ବଞ୍ଚାଇବା ପାଇଁ ଅହରହ ଚେଷ୍ଟା ଚାଲିଛି। ଆଜି ମଧ୍ୟ ଉଛଳା ପ୍ରାଥମିକ ବିଦ୍ୟାଳୟ ପରିସରରେ ଜଗଦାନନ୍ଦ ଜୀ ମହାରାଜ ବୃକ୍ଷ ରୋପଣ କରି ଛାତ୍ରଛାତ୍ରୀଙ୍କୁ ନିଜ ଜନ୍ମ ଦିନରରେ ବୃକ୍ଷ ରୋପଣ କରିବାକୁ ପ୍ରୋତ୍ସାହିତ କରିଥିଲେ। ନୂଆଖାଇ ହେଉଛି ପ୍ରକୃତି ପ୍ରତି ସମ୍ମାନ, ପ୍ରକୃତିର ଉପାସନା ବୋଲି ଶ୍ରୀ ଜଗଦାନନ୍ଦଜୀ ମତବ୍ୟକ୍ତ କରିଥିଲେ। ଏହି ଅବସରରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ଗଂଜାମ ଜିଲ୍ଲାର ଶୁଭେଚ୍ଛୁ ଓ ଭକ୍ତବୃନ୍ଦ ଉପସ୍ଥିତ ରହିଥିଲେ। ଉଛଳା ଶାଖା ସଂଘର କର୍ମକର୍ତ୍ତା, ଶିଷ୍ୟ ଶିଷ୍ୟା ଓ ଶୁଭେଚ୍ଛୁ ନୂଆଖାଇ ଭେଟଘାଟ ଆୟୋଜନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବା ସହ ସକ୍ରିୟ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କାଳୀକୃଷ୍ଣ ସଂଘର ବିଭିନ୍ନ ବିଭାଗର କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।