- ବାସି ଖାଦ୍ୟ ଯୋଗୁଁ ‘ଆପନା’ ଢାବାକୁ ତାଗିଦ୍
କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଶନିବାର କୋକସରା ବ୍ଳକର ଲଡୁଗାଁର ବିଭିନ୍ନ ହେଟେଲ ସମେତ ନିକଟବର୍ତ୍ତୀ ଅଞ୍ଚଳର ଅନେକ ଦୋକାନ ଯାଞ୍ଚ କରାଯାଇଛି। ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଡଙ୍ଗରୀଗୁଡା ସ୍ଥିତ ଅପନା ଢ଼ାବାରେ ମଧ୍ୟ ବିଭାଗ ପକ୍ଷରୁ ଖାଦ୍ୟ ଯାଞ୍ଚ କରାଯାଇଛି। ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ସୁରକ୍ଷା ଅଧିକାରୀ ବିଶ୍ବଜିତ ନାଏକ, ଏମଟିଏସ୍ ଗଜିନ୍ଦ୍ର କୈବର୍ତ୍ତ ପ୍ରମୁଖ ଯାଞ୍ଚ କରିଥିଲେ। ମୋଟ ୨୭ ଟି ସ୍ଥାନ ପରିଦର୍ଶନ କରି ଯାଞ୍ଚ କରାଯାଇଥିବା ବେଳେ ବିନା ଖାଦ୍ୟ ସୁରକ୍ଷା ସାର୍ଟିଫିକେଟରେ କାର୍ଯ୍ୟ କରୁଥିବା ଖାଦ୍ୟ ବ୍ୟବସାୟୀ ଓ ପରିଚାଳକଙ୍କୁ ନୋଟିସ ପ୍ରଦାନ କରାଯାଇଛି। ଏହା ସହିତ ନିର୍ଦ୍ଧାରିତ ପରିଷ୍କାର ପରିଚ୍ଛନ୍ନତା ଏବଂ ଖାଦ୍ୟ ସୁରକ୍ଷା ମାନଦଣ୍ଡ ପାଳନ କରୁ ନଥିବାରୁ ହୋଟେଲ ଗୁଡ଼ିକକୁ ଚେତାବନୀ ଦିଆଯାଇଛି। ସେହିପରି ଡଙ୍ଗରୀଗୁଡା ସ୍ଥିତ ଅପନା ଢ଼ାବାରେ ବାସି ଖାଦ୍ୟ ପରସା ଯାଉଥିବା ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା। ଏହାକୁ ନେଇ ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀ ମାନେ ଢ଼ାବାରେ ପହଞ୍ଚି ଖାଦ୍ୟ ଯାଞ୍ଚ କରିଥିଲେ। ତେବେ ବାସି ଖାଦ୍ୟ ରହିଥିବା ଦେଖିବାକୁ ପାଇ ଢ଼ାବା ମାଲିକଙ୍କୁ ତାଗିଦ୍ କରିବା ସହ ୧୦ ହଜାର ଟଙ୍କା ଫାଇନ କରିବା ନେଇ ଉଚ୍ଚ ଅଧିକାରୀଙ୍କୁ ଜଣାଇଥିବା ସୂଚନା ମିଳିଛି। ଏହାବାଦ୍ ଆଗକୁ ଗ୍ରାହକକୁ ବାସୀ ଖାଦ୍ୟ ପରସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଚେତାବନୀ ମଧ୍ୟ ଦିଆଯାଇଛି।