ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼କର୍ଲାକୋଟ ଗ୍ରାମପଞ୍ଚାୟତ ନୂଆପଡାର ଜଣେ ଗରିବ ଆଦିବାସୀ ଝିଅ ବିଦୁ ନାଏକ(୨୧) ସର୍ବ ଭାରତୀୟ ସ୍ତର ଯୋଗ୍ୟତା ପ୍ରବେଶପରୀକ୍ଷା (ନିଟ)ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଅଞ୍ଚଳ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି।ପରିସ୍ଥିତି ଯାହା ବି ହେଉ ଯଦି ମଣିଷର ଲକ୍ଷ ଅଟଳ ରହିବ ଆଉ ସେଥିପାଇଁ ସେ ସାହସ,ଉଦ୍ୟମ ଓ ଧର୍ଯ୍ୟ ରହିବ ତେବେ ସଫଳତା ତାର ପାଦ ନିଶ୍ଚିତ ଛୁଇବ ତାହାକୁ ପ୍ରମାଣିତ କରିଛନ୍ତି ବିଦୁ।ଗତ ଜୁନ ୧୪ ରେ ସେ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବର୍ତ୍ତମାନ ବ୍ରହ୍ମପୁର ମେଡ଼ିକାଲ କଲେଜ ରେ ନାମ ଲେଖାଇ ଡାକ୍ତର ପାଠ ପଢୁଛନ୍ତି।ବିଦୁ ଗାଁ ରୁ ଭୁବନେଶ୍ୱର ଯିବା ଆଉ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମେଡିକାଲ କଲେଜରେ ନାମ ପର୍ଯ୍ୟନ୍ତ ରାସ୍ତା ବହୁ କଷ୍ଟକର ଥିଲା।ଏହି ସଫଳତାର ପଛରେ କାହାଣୀ ଯେତିକି ରୋଚକ ସେତିକି ଲୁହଭରା କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉପାନ୍ତ ଅଞ୍ଚଳରେ ଥିବା ବଡକର୍ଲାକୋଟ ନୂଆପଡା ରେ ରହନ୍ତି ବିଦୁ ନାଏକ ଙ୍କ ପରିବାର।ବାପା ନରେନ୍ଦ୍ର, ମା,ପ୍ରେମଶିଳା,ବିଦୁ ଓ ତାଙ୍କ ଛୋଟ ଭଉଣୀ।ପରିବାର ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ କୁଳି ମଜୁରୀ କରି ଜୀବନ ଅତିବାହିତ କରନ୍ତି।ବିଦୁଙ୍କ ମା ବାପା ଘର ର କାମ ସହ କୁଳି ମଜୁରୀ କରି ଯାହା ଟଙ୍କା ଉପାର୍ଜନ କରନ୍ତି ସେଥିରେ କଷ୍ଟେମଷ୍ଟେ ପରିବାର ଚଲିଯାଏ।ଗାଁ ସ୍କୁଲ ରେପ୍ରାଥମିକ ଶିକ୍ଷା ପରେ ବିଦୁ ଦୁଲୁକିବନ୍ଧ ଆଦିବାସୀ ସ୍କୁଲ ରେ ପଢିଥିବା ବେଳେ ୨୦୨୦ ରେ ନମ୍ବର ୪୩୧ ମାର୍କ ରଖି ଦଶମ ପାସ କରିଥିଲେ।କିନ୍ତୁ ଘରର ଆର୍ଥିକ ସ୍ଥିତି ଜଗୁ ଯୁକ୍ତ ଦୁଇ ପଢି ପାରିଲେ ନାହିଁ।ଦୁଇ ବର୍ଷ ବିଦୁ ଧାନ ବିଲ ରେ କୁଳି ମଜୁରୀ କରି କିଛି ଟଙ୍କା ଘର ଚଲିବା ପାଇଁ ଦେଇ କିଛି ଟଙ୍କା ପାଠ ପଢା ପାଇଁ ସଞ୍ଚୟ କରି ରଖିଥିଲେ।ବିଦୁଙ୍କ ଭଲ ପାଠ ପଢା ଦେଖି ତାଙ୍କୁ ସର୍ବଦା ସହଯୋଗ କରି ଆସିଥିବା ତାଙ୍କ ବଡ଼ ମା ଙ୍କ ପୁଅ ଲାବଣ୍ୟ ପୁଝାରି ଦୁଇ ବର୍ଷ ପରେ ୨୦୨୨ରେ ବିଦୁଙ୍କ ଉଚ୍ଚ ଶିକ୍ଷା ପାଇଁ ସହଯୋଗ କରି ବିଦୁଙ୍କୁ ଲାଞ୍ଜିଗଡ଼ ସ୍ଥିତ ଆଦିବାସୀ ହାଇଅର ସେକେଣ୍ଡାରୀ ସ୍କୁଲ ରେ ନାମ ଲେଖାଇଥିଲେ।ସେଠାରେ ବିଦୁ ୪୫୪ ମାର୍କ ବା ୭୫ ପ୍ରତିଶତ ରଖି ୨୦୨୪ ରେ ପାସ କରିଥିଲେ।ପରେ ସେ ଭୁବନେଶ୍ୱର ରେ କୋଚିଂଗ କରି ସେଠାରେ ନିଟ ପରୀକ୍ଷା ଦେଇ ଗତ ଜୁନ ୨୦୨୫ ରେ ପ୍ରଥମ ଥର ହିଁ ଉତ୍ତୀର୍ଣ୍ଣ ହୋଇ ବର୍ତ୍ତମାନ ବ୍ରହ୍ମପୁର ମେଡିକାଲ କଲେଜରେ ଡାକ୍ତର ପାଠ ପଢିବା ପାଇଁ ନାମ ଲେଖାଇଛନ୍ତି।ବିଦୁଙ୍କ ଡାକ୍ତର ପାଠ ପଢିବା ପଛରେ ଆଉ ଗୋଟିଏ କାହାଣୀ ରହିଛି।୨୦୧୯-୨୦ କୋଭିଡ ସମୟ।ଏହି ସମୟରେ ତାଙ୍କ ଗାଁରେ ଡାଇରିଆ ବ୍ୟାପି ଥାଏ।ଲୋକଙ୍କ ସଚେତନତା ଅଭାବରୁ କିଛି ଲୋକଙ୍କ ମୃତ୍ୟୁ ହୋଇଥିଲା।ଲୋକେ ଡାଇରିଆରେ ଆକ୍ରାନ୍ତ ହୋଇ କଷ୍ଟ ଭୋଗୁଥିଲେ।ଆଉ ଏହାକୁ ଘରେ ରହି ବିଦୁ ଠିକ ଦେଖୁଥିଲେ।ଲୋକେ କିପରି ରୋଗରେ ଆକ୍ରାନ୍ତ ହେଉଥିଲେ ଆଉ ଚିକିତ୍ସା ପାଇଁ ହନ୍ତସନ୍ତ ହେଉଥିଲେ।ସେକଥା ତାଙ୍କୁ ବହୁ ବ୍ୟତୀଥ କରିଥିଲା।ମନେ ମନେ ସେ ଜଣେ ଡାକ୍ତର ହେବାପାଇଁ ସେଇ ଦିନୁ କିଛି କରିବା ପାଇଁ ସଂକଳ୍ପ ନେଇଥିଲେ।ଯାହା ଆଜି ତାଙ୍କୁ ସଫଳତାର ପାହାଚ ଆଗ୍ରସର କରାଇଛି।ତାଙ୍କ ଏପରି ସଫଳତା ରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ସ୍ଥାନୀୟ ଆଦିବାସୀ ଛାତ୍ରଛାତ୍ରୀ ଙ୍କ ମନର ଏକ ନୂତନ ଆଶାର ସଞ୍ଚାର ସୃଷ୍ଟି କରିଛି।