କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ : ପ୍ରାକ୍ ଐତିହାସିକ ଯୁଗର ସ୍ବାକ୍ଷର ବହନ କରୁଥିବା କୋକସରା ବ୍ଲକ ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତର ଖଲିଗଡ଼ ପାଦଦେଶରେ ରହିଥିବା କଳାହାଣ୍ଡିର ଅନ୍ୟତମ ପର୍ଯ୍ୟଟନସ୍ଥଳି ଗୁଡ଼ହାଣ୍ଡି ଡୋକରୀ ଚଞ୍ଚରାର ପରିଚାଳନାକୁ ନେଇ ଗତ ରାମନବମୀ ମହୋତ୍ସବ ପୂର୍ବରୁ ଅନେକ ବାଦ୍ ବିବାଦ ଦେଖାଦେଇଥିଲା। ଏମିତି କି ଦୁଇ କମିଟି ମଧ୍ୟରେ ଉପୁଜିଥିବା ବିବାଦ ପ୍ରଥମେ ଥାନା ଏବଂ ପରେ ଉଚ୍ଚ ନ୍ୟାୟାଳୟରେ ମାମଲା ପହଞ୍ଚି ସାରିଛି। ପୂର୍ବରୁ ଗୁଡହାଣ୍ଡି ଡୋକରୀ ଚଞ୍ଚରା ଉନ୍ନୟନ ସମିତି ଡୋକରୀ ଚଞ୍ଚରା ପର୍ଯ୍ୟଟନ ସ୍ଥଳୀକୁ ପରିଚାଳନା କରିବା ସହ ବିଭିନ୍ନ ଯାନିଯାତ୍ରା କରି ଆସୁଥିବାବେଳେ ବିବାଦ ଦେଖାଦେବା ପରେ ପ୍ରଶାସନ ପକ୍ଷରୁ ଗୁଡହାଣ୍ଡି ଡୋକରୀ ଚଞ୍ଚରା ଉନ୍ନୟନ କମିଟି (ଇଟିଜି)କୁ ଗତ ରାମନବମୀ ଓ ଗୁଡହାଣ୍ଡି ମହୋତ୍ସବ ସମୟରେ ଦାୟିତ୍ଵ ପ୍ରଦାନ କରାଯାଇଥିଲା। ଉକ୍ତ କମିଟି ମଧ୍ୟ ସୁଚାରୁରୂପେ ମହୋତ୍ସବକୁ ସମ୍ପନ୍ନ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛି। ଏହା ପରେ ମଧ୍ୟ ଉଭୟ କମିଟିର ବାଦ୍ ବିବାଦ ଲାଗି ରହିଛି।
ଦୁଇ କମିଟି ସହ ପ୍ରଶାସନର ବୈଠକ
ଏହାକୁ ନେଇ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ବୁଧବାର କୋକସରା ବ୍ଲକ ସଭାଗୃହଠାରେ ପ୍ରଶାସନ ସହିତ ଦୁଇ କମିଟି ଡୋକରୀ ଚଞ୍ଚରା ଉନ୍ନୟନ ସମିତି ଓ ଗୁଡହାଣ୍ଡି ଡୋକରୀ ଚଞ୍ଚରା ଉନ୍ନୟନ କମିଟି (ଇଟିଜି) ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇ ସ୍ବତନ୍ତ୍ର ଭାବରେ ଆଲୋଚନା ହୋଇଥିଲା। ମାନ୍ୟବର ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଏଡିଏମ୍ ତନ୍ମୟ ଦରୱାନ ବୈଠକର ଅଧ୍ୟକ୍ଷତା କରିଥିବାବେଳେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀ, ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଧର୍ମଗଡ଼ ଦକ୍ଷିଣ ବନଖଣ୍ଡ ବନାଞ୍ଚଳ ଅଧିକାରୀ ଭବାନୀଶଙ୍କର କାଉଁର, ଆମପାଣି ଥାନା ଅଧିକାରୀ ପ୍ରଶାନ୍ତ କୋଲାହାର ପ୍ରମୁଖ ବୈଠକରେ ଯୋଗଦେଇଥିଲେ। ଉଭୟ କମିଟିର ସଦସ୍ୟଙ୍କୁ ପ୍ରଶାସନ ପକ୍ଷରୁ ନିଜ ନିଜ ମତାମତ ଲୋଡ଼ିଥିଲେ। ଏବଂ କୌଣସି ଦଳ ଏକ ଚାକିଆ କରି ପାରିବେ ନାହିଁ ବୋଲି ଉଚ୍ଚ ନ୍ୟାୟାଳୟ ଆଦେଶ ଦେଇଥିବା ଏଡିଏମ୍ କହିଥିଲେ। ଉଭୟ କମିଟି ପକ୍ଷରୁ ମତାମତ ରଖିବା ପରେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ନଥିଲା। ତେବେ ପରବର୍ତ୍ତୀ ସମୟରେ ଦୁଇ କମିଟି ପକ୍ଷରୁ ନିଜ ନିଜ ମଧ୍ୟରେ ଏକ ଆଲୋଚନା କରିବା ପରେ ଆଗକୁ ପ୍ରଶାସନ ସହିତ ପୁନଃ ବୈଠକ କରି ଏକ ନୂତନ କମିଟି ଗଠନ କରାଯିବା ନେଇ ଆଲୋଚନା ହୋଇଥିବା ଏଡିଏମ୍ ଶ୍ରୀଦରୱାନ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି। ତେବେ ବୈଠକରେ ଉଭୟ କମିଟିର ଶତାଧିକ ଲୋକେ ସାମିଲ ହୋଇଥିବାବେଳେ ଶୃଙ୍ଖଳିତ ଭାବେ ବୈଠକ ସରିଥିଲା।