ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବନାଞ୍ଚଳ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଚନ୍ଦାହାଣ୍ଡି ବ୍ଲକର କୁହୁଡି ସ୍ଥିତ ଭୈଏରା ଘୁମର ଜଳପ୍ରପାତର ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଛି। ହେଲେ ଏହି ଉନ୍ନୟନ ମୂଳକ କାର୍ଯ୍ୟରେ ସରକାରୀଙ୍କ ସମସ୍ତ ନୀତି ନିୟମକୁ ଉଲ୍ଲଂଘନ କରାଯାଇଥିବା ଦେଖିବାକୁ ମିଳିଛି। କାର୍ଯ୍ୟସ୍ଥଳରେ ସୂଚନା ଫଳକ ନାହିଁ। କେଉଁ ବିଭାଗର କାମ କାହା ଦ୍ଵାରା ସମ୍ପାଦନ ହେଉଛି ସେସବୁ ସାଧାରଣ ଲୋକେ ଜାଣିବାକୁ ପାଉନାହାନ୍ତି । ଏହି ଦର୍ଶନୀୟ ସ୍ଥାନ ନିକଟକୁ ଯିବା ପାଇଁ ଛୋଟ ପ୍ରକାର ରାସ୍ତା ନିର୍ମାଣ କାର୍ଯ୍ୟ ସହିତ ଅନେକ ବିଲ୍ଡିଙ୍ଗ କାମ ଚାଲିଛି । ହେଲେ ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀ ମଧ୍ୟ ତଦାରକ ଲାଗି ଉପସ୍ଥିତ ରହୁନାହାନ୍ତି। କାର୍ଯ୍ୟ କରୁଥିବା ଠିକାସଂସ୍ଥା ବା ଠିକାଦାର ନିମ୍ନମାନର କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ନିକଟସ୍ଥ ନଦୀରେ ଭାସୁଥିବା ଗୋଟା ବାଲି ଏବଂ ସେଠିକାର ଜଙ୍ଗଲି ପଥରକୁ ମେଟାଲ ଭାବେ କଂକ୍ରିଟ କାମରେ ଲଗାଯାଉଛି। ଅନେକ ପାଖରେ ଛୋଟ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ବି ହୋଇସାରିଲାଣି। ନିମ୍ନମାନର କାର୍ଯ୍ୟ ହେଉଥିବା ସବୁ ଜାଣିଶୁଣି ବିଭାଗୀୟ ଅଧିକାରୀମାନେ ଠିକାଦାରକୁ ଅନୁକମ୍ପା ଦେଖାଉଥିବା ସାଧାରଣରେ ଆଲୋଚନା ହେଉଛି। ଏହି ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।