ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଚିତ୍ରସେନ ବାଗ) : ରୋଗୀଙ୍କ ବିପଦ ସମୟରେ ୧୦୮ ଆମ୍ବୁଲାନ୍ସ ଜରୁରୀକାଳୀନ ସେବା ଫୋନ କରି ସହାୟତା ଆଶା କରିଥାନ୍ତି। କିନ୍ତୁ ୧୦୮ ଆମ୍ବୁଲାନ୍ସ ଯଦି ଅଧା ବାଟରେ ଧୋକା ଦିଏ ତେବେ ରୋଗୀଙ୍କ ଅବସ୍ଥା ଆଉ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କିପରି ଚାଲିଛି ତାହା ସହଜେ ଅନୁମେୟ। କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ଗୁରୁତର ରୋଗୀକୁ ନେଉଥିବା ୧୦୮ ଆମ୍ବୁଲାନ୍ସ ଅଧା ବାଟରେ ଖରାପ ହେବା ଫଳରେ ରୋଗୀ ହନ୍ତସନ୍ତ ହୋଇଛନ୍ତି। କୁଚାଗାଁ ର ପୁଷ୍ପାଳତା ଦାସକୁ ଆଜି ସକାଳେ ଛାତି ଯନ୍ତ୍ରଣା ହେବା ଫଳରେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା ଦେବା ପରେ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ।ହେଲେ ଗାଡିର ବ୍ରେକ ପାଇପ ଖଲିଆଭଟା ନିକଟରେ ଫାଟି ଯିବା ଫଳରେ ଗାଡି ଗଢ଼ି ନଥିଲା। ଶେଷରେ ଦୀର୍ଘ ସମୟ ଅକ୍ସୀଜେନ ଲାଗିଥିବା ରୋଗୀ ଗାଡ଼ିରେ ପଡି ରହିଥିଲେ। ପରେ କୋକସରାରୁ ଆମ୍ବୁଲାନ୍ସ ଆସି ରୋଗୀକୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ଦେଖିବାକୁ ମିଳିଛି। ରୋଗୀ ନେଉଥିବା ଆମ୍ବୁଲାନ୍ସ ଗାଡ଼ିରେ କୌଣସି ପ୍ରକାର ଭିତ୍ତିଭୂମି ନଥିବା ବେଳେ କିପରି ତାକୁ ଜରୁରୀକାଳୀନ ସେବାରେ ନିୟୋଜିତ କରାଯାଇଛି ତାହା ହିଁ ବିଡମ୍ବନାର ବିଷୟ। ରୋଗୀଙ୍କ ଜୀବନ ରକ୍ଷା କରିବା ପାଇଁ ସରକାର ଆମ୍ବୁଲାନ୍ସ ସେବା ପ୍ରଦାନ କରୁଥିବାବେଳେ ଏଠାରେ ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛି ଆମ୍ବୁଲାନ୍ସ।ଜିଲ୍ଲା ଆମ୍ବୁଲାନ୍ସ ସେବା ଦାଇତ୍ୱରେ କିଏ ଅଛନ୍ତି ତଥା ଏପରି ଆମ୍ବୁଲାନ୍ସ କୁ ଜିଲ୍ଲା ପରିବହନ ବିଭାଗ କିପରି ଅନୁମତି ପ୍ରଦାନ କରିଛି ତାହା ତଦନ୍ତ ସାପେକ୍ଷ।