ଆଜି ଭକ୍ତଜନଙ୍କୁ ଦର୍ଶନ ଦେବେ ବୁଢ଼ାରଜା ଦେବ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଭକ୍ତଙ୍କ ଆସ୍ଥା ଓ ବିଶ୍ବାସର ପ୍ରତିକ ଆମପାଣି ବୁଢ଼ାରଜା ଦେବଙ୍କ ବାର୍ଷିକ ଦଶରା ଯାତ୍ରା ଆଜି ପାଳିତ ହେବ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଆମପାଣି ଅଞ୍ଚଳ। ଶ୍ରଦ୍ଧାଳୁ ଓ ଭକ୍ତ ବର୍ଷକୁ ଥରେ ଦଶରା ଯାତ୍ରାରେ ବୁଢ଼ାରଜାଙ୍କ ଦର୍ଶନ କରି ମାନସିକ କରିଥାନ୍ତି। ଯେଉଁ ମାନଙ୍କ ମାନସିକ ପୂରଣ ହୋଇଥାଏ ସେମାନେ ଦେବତାଙ୍କ ଉଦ୍ଧେଶ୍ୟରେ ଭୋଗ ଅର୍ପଣ କରିଥାନ୍ତି। ଏହି ଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ। ଅଭିଚାର ତନ୍ତ୍ର ଧାରାର ଏକ ବଳିଷ୍ଠ ଦେବାତା ହେଉଛନ୍ତି ପ୍ରଭୁ ବୁଢ଼ାରଜା। ସମସ୍ତ ଦେବାଦେବୀ ମାନଙ୍କ ମାମୁଁ ରୂପରେ ସୁପରିଚିତ କଳାହାଣ୍ଡିର ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜାଙ୍କ ବାର୍ଷିକ ଦଶରା ପର୍ବ ଅକ୍ଟୋବର ୧୦ ତାରିଖ ଶନିବାର ଦିନ ମହାଆଡ଼ମ୍ବରରେ ପାଳିତ ହେବାକୁ ଯାଉଛି। ଚଳିତ ବର୍ଷ ପ୍ରଭୁ ବୁଢ଼ାରଜାଙ୍କ ଦଶରା ପାଇଁ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଦଶରା ଯାତ୍ରାର ଲାଠିଯାତ୍ରା ଓ ଲାଖବିନ୍ଧା କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବା ନେଇ ଆକଳନ କରାଯାଉଛି। କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟି ମୁଣ୍ଡରେ କେଉଁ ଏକ ଆବାହମାନ କାଳରୁ ପ୍ରଭୁ ବୁଢ଼ାରଜା ଦେବ ପୁଜା ପାଇଁ ଆସୁଛନ୍ତି। ଏହି ରାସ୍ତାଦେଇ ଘାଟି ଚଢ଼ିବା ଆଗରୁ ବୁଢ଼ାରଜା ଦେବଙ୍କ ଠାରେ ଯାତ୍ରାର ଶୁଭ ମନାସି ମୁଣ୍ଡିଆ ମାରି ଯିବା ପରମ୍ପରା ରହିଛି। କୁହାଯାଏ’ ବର୍ତ୍ତମାନର ବୁଢ଼ାରଜାଙ୍କ ପୀଠ ନିକଟରେ ପୂର୍ବରୁ ଘଞ୍ଚ ଜଙ୍ଗଲ ପରିପୂର୍ଣ ରହିଥିଲା। ସେହି ସମୟରେ ସ୍ଥାନୀୟ ଜଣେ ଆଦିବାସୀ ଯୁବକ ପ୍ରତ୍ୟେକ ଦିନ ଗାଈ ଗୋଠ କରୁଥିଲେ। ତେବେ ସେଠାକାର ଏକ ନିର୍ଦ୍ଧିଷ୍ଟ ସ୍ଥାନ ସବୁବେଳେ ସଫା ରହୁଥିବାବେଳେ ଦିନେ ହଠାତ୍ ପଥରର ଲିଙ୍ଗ ଆବିର୍ଭାବ ହେଇଥିଲା। ଗୋବର ସଂଗ୍ରହକାରୀ ସବୁବେଳେ ଏହି ପଥରକୁ ଫୋପାଡ଼ି ଦେଉଥିଲେ। ହେଲେ ବାରମ୍ବାର କିନ୍ତୁ ସ୍ୱପ୍ନାଦେଶ ଯୋଗୁଁ ଦେବତାଙ୍କ ଆବିର୍ଭାବ ଜାଣି ଆଦିବାସୀ ମାନେ ପୂଜା କରିବା ଆରମ୍ଭ କରିଥିବା ଜନଶ୍ମୃତିରୁ ଜଣାପଡେ। ଆବାହମାନ କାଳରୁ ବୁଢ଼ାରଜା ଦେବ ଏଠାରେ ପ୍ରତ୍ୟହ ପୂଜିତ ହେଉଥିବାବେଳେ ମଙ୍ଗଳବାର ଓ ଶନିବାର ଦୁଇଦିନ ଏଠାରେ ବିଦ୍ଧିବଦ୍ଧ ଭାବେ ପୂଜା କରାଯାଇଥାଏ। ପ୍ରତିବର୍ଷ କୁମାର ପୂର୍ଣିମା ଶେଷ ହେବାପରେ ପ୍ରଥମ ଶନିବାର ଦିନ ବୁଢାରଜା ଦେବଙ୍କ ବାର୍ଷିକ ‘ଦଶରା’ ଯାତ୍ରା ପାଳନ କରାଯାଇଥାଏ। ଚଳିତ ବର୍ଷ ଦଶରା ପ୍ରାରମ୍ଭ ହେବା ସପ୍ତାହେ ଆଗରୁ ଗତ ୨ ତାରିଖ ଖଣ୍ଡବସା କାର୍ଯ୍ୟ ସମାପନ ହୋଇଛି। ୧୦ ତାରିଖ ଶୁକ୍ରବାର ଦିନ ଅପରାହ୍ନରେ ଲାଠି ପୂଜୋନତ୍ସବ ଓ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିଲା। ୧୧ ତାରିଖ ଶନିବାର ଦିନ ଦଶରା ମହୋତ୍ସବ ପାଳନ ହେବ। ସକାଳ ୭ ଘଣ୍ଟାରୁ ପୂଜା ଆରମ୍ଭ ହେବାକୁ ଥିବାବେଳେ ପୂର୍ବାହ୍ନ ୧୦ଟାରେ ଲାଠିଯାତ୍ରା, ଅପରାହ୍ନ ୩ଟାରେ ଲାଖବିନ୍ଧା କାର୍ଯ୍ୟକ୍ରମ ଓ ସନ୍ଧ୍ୟା ୭ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାତିରେ ନାଟକ ଓ ଘୁମୁରା ପ୍ରତିଯୋଗିତା ହେବାକୁ ସ୍ଥିରୀକୃତ ହେଇଛି। ଆମପାଣି ବୁଢ଼ାରଜା ପୀଠର ଆଖପାଖ ଗାଁ, ଜିଲ୍ଲା ତଥା ରାଜ୍ୟ ବହାରରୁ ଆସି ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥାନ୍ତି ଦର୍ଶନ ଓ ଶ୍ରଦ୍ଧାଳୁ ବୃନ୍ଦ। ତେଣୁ ଶାନ୍ତି ଶୃଙ୍ଖଳା ଓ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।