ଖୋଲିଲାନି ଇନ୍ଦ୍ରାବତୀ ବନ୍ଧ ଫାଟକ

  • ଅପରିଷ୍କାର ତଥା ଟାଙ୍ଗରା ଭୂଇଁ ପାଲଟିଛି ଚିରସ୍ରୋତା ଇନ୍ଦ୍ରାବତୀ

  • ୫୦ ପ୍ରତିଶତ ଗଣିତ ହିସାବରେ ଅଟକିଛି ବିକାଶ

ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ଦେଇ ପ୍ରବାହିତ ଇନ୍ଦ୍ରାବତୀ ନଦୀ ଶୁଷ୍କ ତଥା ଟାଙ୍ଗରା ଭୂଇଁ ପାଲଟିଛି। ପ୍ରକୃତିର ଗତିପଥକୁ ବଦଳାଇ ଇନ୍ଦ୍ରାବତୀ ନଦୀ ବନ୍ଧ ଯୋଜନା ମାଧ୍ୟମରେ ୬୧୦ ବର୍ଗ କିଲୋମିଟର ଜଳଭଣ୍ଡାର ନିର୍ମାଣ ହେଲା। ଫଳରେ ଇନ୍ଦ୍ରାବତୀ ନଦୀ ସମେତ ଅନ୍ୟ ତିନି ନଦୀ ଶୁଷ୍କ ଭୂମିରେ ପରିଣତ ହୋଇଛି। ନବରଙ୍ଗପୁର ଜିଲ୍ଲାବାସୀଙ୍କ ହକ କୁ ଅଣଦେଖା କରି ପ୍ରକଳ୍ପ ଆରମ୍ଭ ହେଲା ପ୍ରତିବଦଳରେ ନବରଙ୍ଗପୁର ଜିଲ୍ଲାବାସୀଙ୍କୁ ଉନ୍ନତ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗମନାଗମନ ସୁବିଧା କରି ପାରିପାର୍ଶ୍ଵିକ ବିକାଶର ସ୍ବପ୍ନ ଦେଖାଇ କାର୍ଯ୍ୟ ହାସଲ ପରେ ସେସବୁ ପରିଶ୍ରୁତି ନିରର୍ଥକ ହୋଇଛି। ପୂର୍ବରୁ ଓଡିଶା ଜଳ ବିଦ୍ୟୁତ ନିଗମ ଇନ୍ଦ୍ରାବତୀର ତମାମ ଆବଶ୍ୟକତା କୁ ଗୁରୁତ୍ୱ ପ୍ରଦାନ କରୁଥିଲା। ସେତେବେଳେ ଶିକ୍ଷା, ସ୍ୱାସ୍ଥ୍ୟ ସାଙ୍ଗକୁ ଗମନା ଗମନ କ୍ଷେତ୍ରରେ ଇନ୍ଦ୍ରାବତୀ ସ୍ୱତନ୍ତ୍ର ପରିଚୟ ରହିଥିଲା। କିନ୍ତୁ କାର୍ଯ୍ୟ ହାସଲ ପରେ ଜଳବିଦ୍ୟୁତ ନିଗମ ଇନ୍ଦ୍ରାବତୀ ବାସିଙ୍କ ସୁବିଧା ଏବଂ ପାରିପାର୍ଶ୍ଵିକ ବିକାଶ ପ୍ରତି ଆଖି ବୁଜି ସମସ୍ତ ଦାୟିତ୍ୱ ଓଡିଶା ଜଳ ସେଚନ ବିଭାଗକୁ ଦେଇ ଉନୟନ କାର୍ଯ୍ୟରେ ଯେତେ ଅର୍ଥ ଜଳସେଚନ ବିଭାଗ ଖର୍ଚ୍ଚ କରିବ ତାହାର ୫୦ ପ୍ରତିଶତ ଅର୍ଥ ଜଳ ବିଦ୍ୟୁତ ନିଗମ ବହନ କରିବା ନେଇ ବୁଝାମଣା ହୋଇଛି। ଏହି ଗଣିତ ହିସାବ ପରେ ଅଞ୍ଚଳର ବିକାଶ ଏକ ପ୍ରକାର ଠପ ହୋଇଯାଇଥିବା ବେଳେ ଜଳସେଚନ ବିଭାଗ ଏବଂ ଜଳବିଦ୍ୟୁତ ନିଗମ ମଧ୍ୟରେ ସଲାସୁତୁରା ହୋଇ ଉନ୍ନୟନ ପ୍ରତି ଆଖି ବୁଜିଦେଇଥିବା ଅଭିଯୋଗ କରିଛନ୍ତି ଇନ୍ଦ୍ରାବତୀ ବାସି। ସରକାର ଏଥିପ୍ରତି ବିଶେଷ ଦୃଷ୍ଟି ଦେଇ ଇନ୍ଦ୍ରାବତୀ ବାସିଙ୍କ ମୌଳିକ ସମସ୍ୟା ସମାଧାନ ସାଙ୍ଗକୁ ନଦୀ ଜଳ ସଫେଇ ପାଇଁ କିଛି ଜଳ ଛାଡିବା ପାଇଁ ଦାବି କରିଛନ୍ତି ଖାତିଗୁଡା ଗ୍ରାମବାସୀଙ୍କ ସମେତ ଇନ୍ଦ୍ରାବତୀ ବାସି ।