ଡିଜିଟାଲ ଦୀପ ଆଗରେ ହାର ମାନିଲାଣି ମାଟି ଦୀପ

  • ବେଉସା ହରାଇବା ଚିନ୍ତାରେ ମାଟି ଦୀପ କାରିଗର

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) :  ଆଲୋକର ପର୍ବ ଦୀପାବଳି ନିମନ୍ତେ ଚଳ ଚଞ୍ଚଳ ହୋଇ ଉଠିଛି ଗାଆଁ ଠୁ ସହର। ପରମ୍ପରା ଅନୁଯାୟୀ ଦୀପାବଳୀରେ ସମସ୍ତ ସନାତନୀ ଘର ସମ୍ମୁଖରେ ଧନ ତେରସ ଦିନ ଠାରୁ ଦୁଇ ତିନି ଦିନ ପର୍ଯ୍ୟନ୍ତ ସନ୍ଧ୍ୟା ସମୟରୁ ଦୀପ ଜଳିବାର ପରମ୍ପରା ରହିଛି।ଦିନ ଥିଲା ଦୀପାବଳୀର ୧୫ ଦିନ ଆଗରୁ ଆଖପାଖ ଗାଁ ର କୁମ୍ଭାର ମାନେ ଛୋଟବଡ଼ ମାଟିର ଦୀପ ତିଆରି କରି ସାହି ସାହି ଘର ଘର ବୁଲି ଦୀପ ବିକ୍ରି କରୁଥିଲେ। କିନ୍ତୁ ବର୍ତ୍ତମାନ ଆଉ ଦେଖାଯାଉ ନାହାନ୍ତି । ସେହି ସାହି ସାହି ବୁଲୁଥିବା କୁମ୍ଭାର କାଁଭାଁ ଗୋଟେ ଦିଇଟା କୁମ୍ଭାର ଦୀପାବଳୀ ଆରଦିନ ସହରକୁ ଆସି ନିଜ ହାତ ତିଆରି ଦୀପ ବହୁତ କଷ୍ଟରେ ଶସ୍ତାରେ ବିକ୍ରି କରୁଥିବା ଦେଖିବାକୁ ମିଳୁଛି । ଲୋକେ ଆସ୍ତେ ଆସ୍ତେ ମାଟି ଦୀପ ରୁ ମୁହଁ ମୋଡୁଛନ୍ତି। କାରଣ ବର୍ତ୍ତମାନ ବଜାରରେ ଡିଜିଟାଲ ଦୀପ ପ୍ରଚଳିତ ହେଉଛି। କୋଉ ଡିଜିଟାଲ ଦୀପ ବିଜୁଳି ରେ ଜଳୁଛି ତ ଆଉ କୋଉ ଦୀପ ପାଣି ରେ ଜଳୁଥିବାର ଦେଖିବାକୁ ମିଳୁଛି।ସେଥି ପାଇଁ ଦିନକୁ ଦିନ ମାଟି ରେ ତିଆରି ଜିନିଷ ର ଆଦର କମିବାରେ ଲାଗିଛି । ଖପର ର ସ୍ଥାନ ଆଜବେଷ୍ଟଟର ନେଇ ଯାଇଥିବା ବେଳେ ମାଠିଆର ସ୍ଥାନ ପ୍ଲାଷ୍ଟିକ ନେଇ ଯାଇଛି।ବର୍ତ୍ତମାନ କୁମ୍ଭାର ବୃତ୍ତି କରି ଚଳୁଥିବା କୁମ୍ଭାର ମାନେ ଚିନ୍ତାରେ ପଡିଯାଇଛନ୍ତି ଯେ ଆଗକୁ କେମିତି ତାଙ୍କର ପରିବାର ପୋଷଣ କରି ଚଳିବେ ପୁଣି କିଛି କୁମ୍ଭାର ନିଜର କୌଳିକ ବୃତ୍ତି ରୁ ଧୀରେ ଧୀରେ ଦୂରେଇ ଯାଉଥିବାର ମଧ୍ୟ ଦେଖିବାକୁ ମିଳୁଛି।