ରେଳ ଓଭର ବ୍ରିଜ ନିର୍ମାଣ କାମରେ ନିୟୋଜିତ ଶ୍ରମିକର ଆତ୍ମହତ୍ୟା

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେ ରାଜ ଲକ୍ଷ୍ମୀ କନଷ୍ଟ୍ରକସନ ଦ୍ଵାରା ଚାଲିଥିବା ରେଳ ଓଭର ବ୍ରିଜ ନିର୍ମାଣ କାମରେ ନିୟୋଜିତ ହୋଇ ଥିବା ଜଣେ ଶ୍ରମିକ ବୁଧବାର ସନ୍ଧ୍ୟାରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ସାହାପୁର ଗ୍ରାମର ତାପସ ନାଏକ (୨୫) ପିତା – ସୁରେନ୍ଦ୍ର ନାଏକ କଳାହାଣ୍ଡି ଜିଲ୍ଲାର କେସିଙ୍ଗାରେ ଚାଲିଥିବା ରେଳ ଓଭର ବ୍ରିଜ ନିର୍ମାଣ କାମରେ ଶ୍ରମିକ ଭାବରେ କାମ କରୁଥିଲେ। ହେଲେ ବୁଧବାର ଅପରାହ୍ନରେ ଏମିତି କଣ ହେଲା କେଜାଣି ସେ ତାଙ୍କ ରୁମ ଉପରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ହେଲେ ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ବୋଲି ଶୁଣିବାକୁ ମିଳୁଛି। ଘଟଣା ଜଣା ପଡ଼ିବା ପରେ ସ୍ଥାନୀୟ ପୋଲିସ କୁ ନ ଜଣାଇ ସଙ୍ଗେ ସଙ୍ଗେ ତାଙ୍କ ସାଥୀ ତାପସ ଙ୍କୁ କେସିଙ୍ଗା ମେଡିକାଲ କୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କେସିଙ୍ଗା ମେଡିକାଲରେ ପୋଲିସର ଦେଖରେଖ ରେ ବର୍ତ୍ତମାନ ଶବ ରହିଛି । ରାତ୍ର ହୋଇ ଯାଇଥିବାରୁ ଗୁରୁବାର ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡିଛି। ସ୍ଥାନୀୟ ପୋଲିସ ପକ୍ଷରୁ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇ ଥିବାବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ସ୍ପଷ୍ଟ ହେବ।