ଦୀପୋତ୍ସବ ଉପଲକ୍ଷେ ‘ଘୁମୁରା’ ପ୍ରତିଯୋଗିତା

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକର ସିଉନୀଠାରେ ଶନିବାର ଦୀପୋତ୍ସବ-୨୦୨୫ ପାଳନ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ରେକର୍ଡ ଡାନ୍ସ ଓ ‘ଘୁମୁରା’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ କୋକସରା ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀତା ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟବକ୍ତା, ସମିତି ସଭ୍ୟ ଗୁପ୍ତେଶ୍ୱର ବାଗ, ଯନ୍ତ୍ରୀ କିର୍ତ୍ତୀ ରଞ୍ଜନ ବେହେରା, ସୌରବ କୁମାର ବେହେରା, ଗୋପିଚନ ନାଏକ, ମୁକ୍ତେଶ୍ଵର ନାଏକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଅବସରରେ ନବ ନିର୍ମିତ ମା’ ଠାକୁରାଣୀ ମଞ୍ଚ ଉଦଘାଟନ କରାଯାଇଥିଲା। ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଏହି କ୍ରମରେ କମିଟି ପକ୍ଷରୁ ସମାଜ ସେବା ପାଇଁ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କୁ ସମ୍ମାନିତ କରାଯାଇଥିବା ବେଳେ ରକ୍ତଦାନ ନିମନ୍ତେ ଖଗେଶ୍ବର ନାଏକ, ରଞ୍ଜନ ବେହେରା, ଅବିନାଶ ପଣ୍ଡା ଓ ବିରେନ୍ଦ୍ର ମାଝୀ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ରେକର୍ଡ ଡାନ୍ସ ଅନୁଷ୍ଠିତ ହୋଇଥିଲା। ଏହାପରେ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୭ ଗୋଟି ଘୁମୁରା ଦଳ ଅଂଶଗ୍ରହଣ କରିଥିଲା। କଦଳୀମୁଣ୍ଡା ଘୁମୁରା ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ଵିତୀୟ ମାଳପଡା ଓ ତୃତୀୟ ସ୍ଥାନ ବାନେର ଘୁମୁରା ଦଳ ଅଧିକାର କରିଥିଲା। ସାଂସ୍କୃତିକ ମଞ୍ଚକୁ ସୁଧୀର ଧଙ୍ଗଡାମାଝୀ ଓ ଇଶ୍ବରୀ ପ୍ରସାଦ ଅଗସ୍ତି ପରିଚାଳନା କରିଥିଲେ। ଅନୁଷ୍ଠାନର ସଭାପତି ସୁମନ୍ତ କୁମାର ପଣ୍ଡା, ସମ୍ପାଦକ ଭୁବନେଶ୍ୱର ଦିଶାରୀ, ସନାତନ ପଣ୍ଡା, ଅମିତ୍, ମଣ୍ଟୁ, ମଣ୍ଟୁ ନାଏକ, ନରେନ୍ଦ୍ର ଧଙ୍ଗଡାମାଝୀ ସମେତ ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ।