ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : (ଭୋଦେବ ଗୌଡ଼) : ବାତ୍ୟା ମୋନ୍ଥାକୁ ନେଇ ଜିଲ୍ଲା ପ୍ରଶାସନ ତତ୍ପର ରହିବା ସଙ୍ଗେ ସଙ୍ଗେ ଜିଲ୍ଲାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ସରକାରୀ, ବେସରକାରୀ ବିଦ୍ୟାଳୟ ଗୁଡ଼ିକ ଖୋଲା ରଖିବାକୁ ଏବଂ ପ୍ରଧାନ ଶିକ୍ଷକ ସମେତ ଶିକ୍ଷକ ଓ ଶିକ୍ଷୟତ୍ରୀ ବିଦ୍ୟାଳୟର ଉପସ୍ଥିତ ରହିବାକୁ ନବରଙ୍ଗପୁର ଜିଲ୍ଲାପାଳଙ୍କ ଦ୍ଵାରା ନିର୍ଦ୍ଦେଶନାମା ଜାରି କରିଛନ୍ତି। ଚଳିତ ମାସ ୨୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ବାତ୍ୟା ଆଶଙ୍କା ଓ ପ୍ରଭାବକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୁଡ଼ିକ ଖୋଲା ରଖିବାକୁ ନିର୍ଦ୍ଦେଶନାମା ଜାରି ରହିଥିବା ସ୍ଥଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଭା .ପ୍ର. ସେ. କମିଶନର ତଥା ଶାସନ ସଚିବ ଏନ୍ ତିରୁମାଲା ନାୟକ ବାତ୍ୟା ପ୍ରଭାବିତ ଆଶଙ୍କା ଦୃଷ୍ଟିରୁ ୮ ଟି ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ପତ୍ରସଂଖ୍ୟା ୨୯୨୨୮ ତା-୨୭/୧୦ ରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସାମ୍ଭାବ୍ୟ ମୋନ୍ଥା ର ପ୍ରକୋପରୁ ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କ ଏବଂ ସଚିବଙ୍କ ଗାଇଡ୍ ଲାଇନ୍ ଜାରି ପରେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଏହାକୁ ଅଣଦେଖା କରି ବିଦ୍ୟାଳୟକୁ ବନ୍ଦ କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଗତକାଲି ଦିନ ୧୧ ଘଣ୍ଟା ୪୪ ମିନିଟ୍ ସମୟରେ ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଫୁଲଝରି ଗ୍ରାମ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିଥିବା ଏବଂ ତାଲା ପକାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଚାଲିଯାଇଥିବା ଚିତ୍ର ଦେଖିବାକୁ ମିଳିଥିଲା। ଏପରି ଏକ ସମ୍ବେଦନଶୀଳ ସମୟରେ ବିଦ୍ୟାଳୟର କୌଣସି ଶିକ୍ଷକ, ଶିକ୍ଷୟତ୍ରୀ ଓ ପ୍ରଧାନ ଶିକ୍ଷକ ଅନୁପସ୍ଥିତ ରହିବା ଶିକ୍ଷା ବିଭାଗର ମାନମାନି ଏବଂ ଦାୟୀତ୍ୱରେ ଅବହେଳା ଓ ଅଣଦେଖା କରିବା ନିତ୍ୟାନ୍ତ ପରିତାପର ବିଷୟ ପାଲଟିଛି। ଏଭଳି ବାତ୍ୟା ସ୍ଥିତିରେ ବିଦ୍ୟାଳୟ ବନ୍ଦ ରହିବା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରଶାସନ ପ୍ରତି କିପରି ଆନୁଗତ୍ୟ ରହିଛି ଏଥିରୁ ସ୍ପଷ୍ଟ ଜଣାପଡୁଛି। ଛାତ୍ରଛାତ୍ରୀଙ୍କ ପାଇଁ ଛୁଟି ଘୋଷଣା କରାଯାଇଥିବା ସ୍ଥଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଏମାନଙ୍କ ଅନୁପସ୍ଥିତି ବିସ୍ମୟ ଓ ପ୍ରଶ୍ନ ସୃଷ୍ଟି କରିଛି। ଏପରି ଏକ ସମ୍ବେଦନଶୀଳ ବାତ୍ୟା ପରିସ୍ଥିତି ଲାଗି ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ସଂପୂର୍ଣ୍ଣ ସଜାଗ ରହିଥିବା ବେଳେ କିପରି ବିଦ୍ୟାଳୟ କର୍ତ୍ତୃପକ୍ଷ ଦାୟିତ୍ଵହୀନ ରହିଛନ୍ତି ଏହା ଆଲୋଚନା ଓ ତର୍ଜମାର ବିଷୟ ପାଲଟିଛି। ଏହି ପ୍ରସଙ୍ଗରେ ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତାମ୍ ଙ୍କୁ ପଚାରିବାରୁ ଏହି ଘଟଣା ସମର୍କରେ ସେ ଜାଣିନଥିବା କହିଥିଲେ ଏବଂ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ କିଛି ପ୍ରତିକ୍ରିୟା ଦେଇ ନଥିଲେ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମଧ୍ୟରେ ଶିକ୍ଷାର ବ୍ୟବସ୍ଥା ଏବଂ ଏହାର ବାସ୍ତବ ଚିତ୍ର କଣ ରହିଛି ଏଥିରୁ ସହଜରେ ଅନୁମେୟ। ଅଧିକାଂଶ ଶିକ୍ଷକ ଶିକ୍ଷୟତ୍ରୀ ଦାୟୀତ୍ୱରେ ଅବହେଳା ଓ ମନମାନି କରି ଠିକ୍ ସମୟରେ ବିଦ୍ୟାଳୟକୁ ଯାଉନଥିବା ବିଦ୍ୟାଳୟ ପରିଚାଳନା କମିଟି ଅଭିଯୋଗ କରୁଥିବା ନଜରକୁ ଆସୁଛି। ବିଳମ୍ବରେ ବିଦ୍ୟାଳୟକୁ ଯିବା କିଛି ଶିକ୍ଷକଙ୍କ ଅଭ୍ୟାସରେ ପରିଣତ ହୋଇଛି। ଉପାନ୍ତ ଅଞ୍ଚଳ ଏବଂ ବ୍ଲକର ସୀମାନ୍ତ ଅଞ୍ଚଳରେ ଥିବା ସ୍କୁଲ ଗୁଡିକରେ ଶିକ୍ଷକ ଶିକ୍ଷୟତ୍ରୀ ସଠିକ୍ ସମୟ ମଧ୍ୟରେ ଯାଉନଥିବା ଦେଖିବାକୁ ମିଳୁଛି। ୯ ଘଣ୍ଟା.୩୦ ମିନିଟ୍ ସମୟରେ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ଥିବାବେଳେ କିଛି ଶିକ୍ଷକ ୧୦ ଘଣ୍ଟା ସମୟ ବେଳକୁ ହଲି ଝୁଲି ବ୍ଲକ ସଦର ଠାରୁ ବିଦ୍ୟାଳୟ ଅଭିମୁଖେ ଯାଉଥିବା ଏକାଧିକ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଦେଖିବାକୁ ମିଳୁଛି। ବେତନ ଭୋଗି ସରକାରୀ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାକୁ ବେତନ ପାଇଁ ନିଜ ସୁବିଧା ଦେଖୁଛନ୍ତି। ଫୁଲଝରି ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ଦୃଶ୍ୟ ଦେଖିଲେ ପ୍ରଶାସନ ପ୍ରତି ଭୟନଥିବା ଜଣା ପଡୁଛି।

