ଆହାର ମୁହଁରେ ମରଣ ଫାସ

ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗୌଡ) : ପ୍ଲାଷ୍ଟିକର ବହୁଳ ବ୍ୟବହାର ଯୋଗୁଁ ପରିବେଶ ଓ ଜୀବଜଗତ ନାହିଁ ନଥିବା କ୍ଷତି ହୋଇଥିବାରୁ ରାଜ୍ୟ ଓ କେନ୍ଦ୍ର ସରକାର ସଂଗଠନ ପର୍ଯ୍ୟନ୍ତ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲଗାଇବାକୁ ସ୍ବର ଉଠିଛି । ପ୍ଲାଷ୍ଟିକ ବର୍ଜନ ପାଇଁ ପ୍ରଶାସନ ତରଫରୁ ବାରମ୍ବାର ନିବେଦନ କରାଯାଉଥିଲେ ମଧ୍ୟ ପ୍ଲାଷ୍ଟିକର ବ୍ୟବହାର କମୁନି ଓ ପ୍ଲାଷ୍ଟିକର ବ୍ୟବହାର ଯୋଗୁଁ ଜୀବଜଗତ ପ୍ରତି ମୁହୂର୍ତ୍ତରେ କ୍ଷତି ସହୁଛି । ଏହିପରି ଭାବରେ ଝରିଗାଁ ବ୍ଲକ ସଦର ଅଞ୍ଚଳରେ ଗତ କିଛି ମାସ ହେଲା ବର୍ଜ୍ୟ ପ୍ଲାଷ୍ଟିକ ବସ୍ତୁରେ ଗୃହପାଳିତ ପଶୁ କ୍ଷତିଗ୍ରସ୍ତ ହେବାର ଦେଖାଯାଉଛି । ନିକଟରେ ଏକ ବୁଲା କୁକୁର ପ୍ଲାଷ୍ଟିକ ଜାରରେ ମୁହଁ ପୂରେଇ ଦେବାରୁ ପ୍ଲାଷ୍ଟିକ ଜାରଟି ତା’ ମୁଣ୍ଡରେ ଲଟକି ଯାଇଥିଲା । ଫଳରେ ତାର ଆଖି କୁ ଦେଖା ଯାଉଥିଲେ ମଧ୍ୟ ସେ ଖାଦ୍ୟ ପାଣି ପିଇ ପାରୁନ ଥିଲା । କିଛି ବ୍ୟକ୍ତି ତା’ ମୁଣ୍ଡରୁ ଜାରଟି ଖସେଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । କୁକୁରଟି କିଛି ଦିନ ହେବ ଏଣେ ତେଣେ ବୁଲୁଥିଲେ ମଧ୍ୟ ସେ ଖାଇପାରୁ ନଥିଲା ଦୁର୍ବଳ ହେଇଥିବା ଦେଖାଯାଉଛି। ମଣିଷର ସାମାନ୍ୟ ଭୁଲ ପାଇଁ କୁକୁର ଟି ବିନା କାରଣ ରେ ଶାସ୍ତି ପାଉଥିବାରୁ ପଶୁପ୍ରେମୀ ଉଦ‌ବେଗ ପ୍ରକାଶ କରିଛନ୍ତି । ବୁଲା ଗାଈଗୋରୁ ପ୍ଲାଷ୍ଟିକ ଜରିରେ କିଛି ଖାଦ୍ୟ ଲାଗିଥିଲେ ଜରି ସହିତ ଖାଇ ରୋଗାଗ୍ରସ୍ତ ହେଉଥିବା ଦେଖାଯାଉଛି । ସରକାର ପ୍ଲାଷ୍ଟିକ ନିଷିଦ୍ଧ କରିଥିଲେ ମଧ୍ୟ ଏବେ ବି ବଜାରରେ ବହୁ ଜିନିଷ ପ୍ଲାଷ୍ଟିକ ପ୍ୟାକେଟରେ ମିଳୁଥିବା ଦେଖାଯାଇଛି । ଉପର ଠାଉରିଆ ଭାବରେ ଲୋକଙ୍କୁ ସଚେତନତା କରା ନଯାଇ ସଚେତନତା ବାର୍ତ୍ତାକୁ ଘରେ ଘରେ ନ ପହଞ୍ଚାଇଲେ ଭବିଷ୍ୟତରେ ଏପରି ଅନେକ କୁକୁର ଓ ଗାଈଗୋରୁ ଅଯଥାରେ ଦଣ୍ଡପାଇବେ ବୋଲି ସ୍ପଷ୍ଟ ଦେଖାଯାଉଛି ।