ସରକାରୀ ସହାୟତାରୁ ବଞ୍ଚିତ ବିଧବା ଧନମତୀ 

ଝରୀଗାଁ/କ୍ରାନ୍ତିକ୍ଷେତ୍ର ନ୍ଯୁଜ୍ (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକମ୍ବା ପଞ୍ଚାୟତ ଏକମ୍ବା ଗ୍ରାମର ବିଧବା ଧନମତୀ ଭତ୍ରା (୩୮) ଆଜି ଯାଏଁ ସରକାରଙ୍କ ଯୋଜନା ଦୃଷ୍ଟି ଆଢ଼ୁଆଳରୁ ବଞ୍ଚିତ ରହିଛନ୍ତି। ବିଧବା ଧନମତୀଙ୍କ ସ୍ବାମୀ ମୃତ୍ୟୁ ହୋଇ ୨୦ ବର୍ଷ ବିତିଯାଇଥିଲେ ସୁଦ୍ଧା ବିଧବା ଭତ୍ତା ଖଣ୍ଡିଏ ମିଳିପାରିନାହିଁ। ଧନମତୀଙ୍କ ୨ଝିଅ ବଡ଼ଝିଅ ବବିତା ଭତ୍ରା (୨୨) ବାପା ଙ୍କ ମୃତ୍ୟୁପରେ ଘରର ଆର୍ଥିକ ସଙ୍କଟକୁ ଦେଖି ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟ ତ୍ରିପୁରା କୁ ଦାଦନ ଖଟି ଯାଇଛି। ସାନ ଝିଅ ସବିତା ଭତ୍ରା (୧୩) ଅଷ୍ଟମ ଶ୍ରେଣୀରେ ପଢୁଛି। ସ୍ବାମୀଙ୍କ ମୃତ୍ୟୁପରେ ଅସହାୟ ହୋଇଯାଇଛି ଧନମତୀ। ତାଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ନାଁ ଭଲ ଘର ଖଣ୍ଡେ ରହିଛି। ଝାଟିମାଟି କୁଡ଼ିଆରେ ପଲିଥିନ ଦେଇ ସେ ଘରେ ଆଶ୍ରୟ ନେଉଛନ୍ତି ମାଁ-ଝିଅ। ସରକାରୀ ସହାୟତା ପାଇଁ ଅନେକ ଥର କାଗଜ ପତ୍ର ଦେଇଥିବା ମଧ୍ୟ କହିଛନ୍ତି । ହେଲେ କିଛି ସୁଫଳ ମିଳିନାହିଁ। ସ୍ବାମୀଙ୍କ ମୃତ୍ୟୁ ହୋଇ ଅନେକ ବର୍ଷ ହୋଇଯାଇଥିଲେ ବି ମୋତେ ଭତ୍ତା ଖଣ୍ଡିଏ ହୋଇପାରିନାହିଁ, ସରକାର ମୋ ପାଇଁ ନିର୍ଦ୍ଦୟ ପଳିଟିଯାଇଛି ବୋଲି କହିଛନ୍ତି। ସରକାରଙ୍କ ଯୋଜନାରେ ସାମିଲ କରିବାକୁ ବିଧବା ଧନମତୀ ନିବେଦନ କରିଛନ୍ତି। ପ୍ରଶାସନ ବିଧବା ପ୍ରତି ଦୃଷ୍ଟିଦେଇ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ମଧ୍ୟ ଦାବି କରିଛନ୍ତି। ଏନେଇ ଏକମ୍ବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଆମ ପାଖରେ କିଛି ଖବର ନାହିଁ। ସେ ଯଦି ଯୋଗ୍ୟ ଅଛନ୍ତି ସରକାରଙ୍କ ଯୋଜନା ନିଶ୍ଚୟ ପାଇବେ ବୋଲି କହିଛନ୍ତି ।