ଧର୍ମଗଡ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ସଡକ ଦୁର୍ଘଟଣାରେ ମୃତ ବୃଦ୍ଧଙ୍କ ପରିବାର ଲୋକଙ୍କୁ କ୍ଷତିପୁରଣ ଯୋଗାଇଦେବା ନିମନ୍ତେ ଶବ ରଖି ରାସ୍ତା ଅବରୋଧ ରାଯାଇଥିଲା। ତେବେ ଦୀର୍ଘ ୧୬ ଘଣ୍ଟା ପରେ କ୍ଷତିପୂରଣ ମିଳିବାରୁ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି। ରବିବାର ଦିନ ଅପରାହ୍ନରେ ଧର୍ମଗଡ ବେହେରା ବିଜୁଏକ୍ସପ୍ରେସ ରାସ୍ତା ଢ଼ାବା ନିକଟରେ ଏକ ଦୁର୍ଘଟଣାରେ କୋକସରା ବ୍ଲକ ଖୁଣ୍ଟିଆ ଗ୍ରାମର ତରୁଣ ଦୁର୍ଗା (୬୫) ଙ୍କ ମୃତ୍ୟୁ ଘଟିଥିଲା। ସୂଚନା ଯେ’ ମୃତ ତରୁଣ ଜଣେ ଛୋଟ ବ୍ୟବସାୟୀ । ଅପରାହ୍ନ ବେଳକୁ ବେହେରା ବଜାର ସାରି ଘରକୁ ଫେରୁ ଥିବାବେଳେ ଆମପାଣି ପଟୁ ଆସୁଥିବା ଏକ କୁକୁଡ଼ା ବୋଝେଇ ଗାଡି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟପଟେ ପରିବାର ଓ ସ୍ଥାନୀୟ ଲୋକ ଉତ୍ତେଜିତ ହୋଇ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବୀ କରିଥିଲେ। ତମାମ ରାତି ସାରା ଶବ ଡାକ୍ତରଖାନାରେ ପଡି ରହିଥିବାବେଳେ ସୋମବାର ସକାଳୁ ଶବକୁ ରାସ୍ତା ଉପରେ ରଖି ଆନ୍ଦୋଳନ କରିଥିଲେ। ଘଟଣା ସ୍ଥଳରେ କୋକସରା ପୋଲିସ ପହଂଚି ଲୋକଙ୍କୁ ବୁଝାମଣା କରିଥିଲେ ହିଁ ସେମାନେ ନିଜ ଜିଦରେ ଅଡି ବାସିଥିଲେ। ଧୀରେ ଧୀରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କୋକସରା, ଆମପାଣି ଥାନା ପୋଲିସ ମୁତୟନ ହୋଇ ବୁଝାସୁଝା ସହ ଆଲୋଚନା କରିଥିଲେ। ଶେଷରେ ଗାଡି ମାଲିକ ମୃତକଙ୍କ ପରିବାର କୁ କ୍ଷତିପୂରଣ ବାବଦରେ ଆର୍ôଥକ ସହାୟତା ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ଏବଂ ରାସ୍ତା ଅବରୋଧ ହଟିବା ପରେ ସ୍ୱାଭାବିକ ଭାବେ ଯାନବାହନ ଚଳାଚଳ କରିଥିଲା। ପୋଲିସ ମୃତ ଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତର ଖାନା ପଠାଇ ପରେ ମୃତ ଦେହ କୁ ପରିବାର କୁ ହସ୍ତାନ୍ତର କରିଛି।

