ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ପୁଣି କେରଳ ରାଜ୍ୟର କାଜିକୋଢି ଜିଲ୍ଲା ଏଲାଥୋର ଥାନା ଅଞ୍ଚଳରୁ କଳାହାଣ୍ଡି ଜିଲ୍ଲା ଗୁଣପୁର ଥାନା ଅଧିନସ୍ଥ ଜୁବାଙ୍ଗ ଗ୍ରାମକୁ ଫେରିଛି ଦାଦନ ଶ୍ରମିକ ମୃତ ଦେହ। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ୍ ତଥା ଗୁଣପୁର ପୁଲିସ ଥାନା ଅଧିନସ୍ଥ ଜୁବାଙ୍ଗ ଗ୍ରାମର ଉଦୟ ମାଝୀ ନାମକ ଜନୈକ ଶ୍ରମିକ ସୁଦୂର କେରଳ କୋଝିକୋଡିର କାକ୍କୋଡିରେ ଏକ ଠିକା ସ଼ଂସ୍ଥାରେ ନିୟୋଜିତ ହେଇଥିଲା। ସେଠାରେ କାମ କରୁଥିବା ବେଳେ ଗତ ୧ ତାରିଖ ଦିନ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ସ୍ଲାବ ତଳେ ଉଦୟ ମାଝୀ ଚାପି ହୋଇ ଗୁରୁତର ହୋଇଥିଲେ। ତାଙ୍କ ମୁଣ୍ଡ ଉପରେ ସ୍ଲାବ୍ ପଡ଼ିବା ପରେ ସେ ଅଧ ଘଣ୍ଟା ପର୍ଯ୍ୟନ୍ତ ଫସି ରହିଥିଲେ। ପୋଲିସ ପ୍ରଶାସନ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିବାପରେ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର। ଆଜି ସୋମବାର ସକାଳେ ଗାଁ କୁ ଶବ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଥିଲା। ପରିବାର ଏବଂ ସମ୍ପର୍କୀୟଙ୍କ କାନ୍ଦ ବୋବାଳି ରେ ଗାଁ ଦାଣ୍ଡ ଫାଟି ପଡ଼ିଥିଲା। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନକୁ ଦାହ ସଂସ୍କାର ପାଇଁ ନିଆଯାଇଛି। ସରକାର ପରେ ସରକାର ବଦଳୁଛି, କିନ୍ତୁ ବଦଳୁ ନାହିଁ କଳାହାଣ୍ଡି ଶ୍ରମିକର ଭାଗ୍ୟ। ରୀତିମତ ରାଜ୍ୟ ବାହାରେ ଦାଦନ ଖଟିବାକୁ ଯାଇଥିବା କଳାହାଣ୍ଡିର ଶ୍ରମିକ କିଏ ମୃତ୍ୟୁ ବରଣ କରୁଛି ତ ପୁଣି କିଏ ନିଖୋଜ ହେଉଛି। ହେଲେ ପ୍ରଶାସନ ପକ୍ଷରୁ କୌଣସି ନିରାକରଣ ନାହିଁ ।

