ଗାଁ କୁ ପହଂଚି ପାରିଲାନି ଆମ୍ବୁଲାନ୍ସ, ଦୁଇ କିଲୋମିଟର ଖଟିଆରେ ବୁହାଗଲା ଗର୍ଭବତୀ

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ : ରାସ୍ତାରେ କାଦୁଅ ଯୋଗୁଁ   ଆମ୍ବୁଲାନ୍ସ ଗାଁ ଆସିପାରୁଲା ନାହିଁ । ଫଳରେ  ଅଧା ରାସ୍ତାରେ ଅଟକିଗଲା। ଗାଁରୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଦୁଇ କିଲୋମିଟର ଖଟିଆରେ ବୃହାହୋଇ ଗଲେ ଗର୍ଭବତୀ । ରାସ୍ତାର କଦର୍ଯ୍ୟ ଅବସ୍ଥା ଯୋଗୁଁ ହୀନସ୍ତା ହୋଇଛନ୍ତି ରୋଗୀ ଏବଂ ସଂପର୍କୀୟ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ଗ୍ରାମପଞ୍ଚାୟତ କାଙ୍ଗମାଝୀଗୁଡା ଅନ୍ତର୍ଗତ ସିରାଗୁଡା ଗ୍ରାମରେ ରବିବାର ସନ୍ଧ୍ୟାରେ  ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ, ଘାଟଗୁଡା ପଞ୍ଚାୟତ ଅନ୍ତର୍ଗତ କାଙ୍ଗମାଝୀଗୁଡା ସିରାଗୁଡା ଗ୍ରାମର ଶ୍ରୀଦେବୀ ଗୌଡ଼ ୯ ମାସ ର ଗର୍ଭବତୀ ରହିଛନ୍ତି। ରବିବାର ସନ୍ଧ୍ୟାରେ ଗର୍ଭଯନ୍ତ୍ରଣା ହେବାରୁ ଗ୍ରାମର ଆଶା ଦିଦି କୁ ଯୋଗଯୋଗ କରିଥିଲେ । ଆଶା ଦିଦି ତୁରନ୍ତ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ।  ଖବର ପାଇ ମେଡିକାଲରୁ ଆମ୍ବୁଲାନ୍ସ ବି ବାହାରିଥିଲା କିନ୍ତୁ କାଙ୍ଗମଝିଗୁଡା ଗାଁ ନିକଟରେ ଅଟକିବାକୁ ବାଧ୍ୟ ହୋଇଥିଲା ।  ଏଠାରୁ ଆଉ ଆଗକୁ ଯିବା ସମ୍ଭବ ହୋଇନଥିଲା।  କାରଣ  ସିରାଗୁଡା ଠାରୁ କାଙ୍ଗମାଝୀଗୁଡା ମଧ୍ୟରେ ବ୍ୟବଧାନ ମାତ୍ର ୨ କିଲୋମିଟରା ତେବେ ଏପର୍ଯ୍ୟନ୍ତ ଏହି ଦୁଇ କିଲୋମିଟର ରାସ୍ତା ନିର୍ମାଣ ହୋଇପାରିନାହିଁ ।  ଯାହାଦ୍ୱାରା ଗାଡି ଯିବା ଏହି ରାସ୍ତା ରେ ମୁସ୍କିଲ ହୋଇପଡିଛି । କାଦୁଅ ସହ ଜଙ୍ଗଲ ରାସ୍ତା ରେ ରାତ୍ରି ସମୟରେ ଜଙ୍ଗଳ ହିଂସ୍ର ଜନ୍ତୁ ର ଭୟ ରହୁଛି । ପୂର୍ବ ଦିନରେ ଲଗୁଚାପ ପ୍ରଭାବରେ ବର୍ଷା ହେବା ଯୋଗୁ ରାସ୍ତା ଅବସ୍ଥା ଆହୁରି ଅତି ଶୋଚନୀୟ ହୋଇପଡ଼ଛି । ଏନେଇ ଆମ୍ବୁଲାନ୍ସ ଚାଳକ ସଂପର୍କୀୟଙ୍କୁ ଅବଗତ କରାଇଥିଲେ। ଅନ୍ୟପଟେ ଗର୍ଭବତୀ ଶ୍ରୀଦେବୀଙ୍କ ଅବସ୍ଥା ବିଗିଡ଼ିବାରେ ଲାଗିବାରୁ ପରିବାର ଲୋକ ଗୋଟିଏ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବା କୁ ବାଧ୍ୟ ହୋଇଥିଲେ। ବହୁ କଷ୍ଟ ରେ ଆମ୍ବୁଲାନ୍ସ ପାଖରେ ପହଂଚିବା ପରେ ସେଠାରୁ ପୁଣି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ନିଆଯାଇଥିଲା। ଦୀର୍ଘଦିନ ହେଲା କାଙ୍ଗମାଝୀଗୁଡା. ଅନ୍ତର୍ଗତ  ସିରାଗୁଡା ଗାଁକୁ ରାସ୍ତା ହୋଇପାରୁନି। ଶୀତ ଓ ଖରା ଦିନେ ଦଦରା ରାସ୍ତାରେ କୌଣସି ପ୍ରକାର ଲୋକେ ଯାତାୟାତ କରୁଥିଲେ ମଧ୍ୟ ବର୍ଷା ଦିନେ ଅବସ୍ଥା ଅସମ୍ଭାଳ ହୋଇଯାଇଥାଏ ।