- କ୍ଷତିପୂରଣ ଦାବୀରେ ତହସିଲଦାରଙ୍କ ଦ୍ୱାରସ୍ତ ଚାଷୀ
ଧର୍ମଗଡ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅଞ୍ଚଳରେ ବାତ୍ୟା ମୋନ୍ଥା ର ପ୍ରକୋପ ନଥିଲେ ମଧ୍ୟ ବାତ୍ୟାର ପ୍ରଭାବରେ ହୋଇଥିବା ବର୍ଷା ଓ ପବନ ଯୋଗୁଁ ଚାଷୀଙ୍କ ଅମଳ ହୋଇ ଥିବା ଧାନ ଫସଲ ବ୍ୟାପକ କ୍ଷୟକ୍ଷତି ହୋଇଛି। ବର୍ଷା ଓ ପବନ ହେବା ଯୋଗୁଁ ଧାନ ଜମିରେ ପାଣି ଜମି ରହିବା ଫଳରେ ଅଧିକାଂଶ ଜମିରେ ଧାନ ଗଛ ଚାଷ ଜମିରେ ଶୋଇପଡିଛି। ତେବେ ଆଉ ଅଳ୍ପ ଦିନ ପରେ ଚାଷୀ ଧାନ ଅମଳ କରି ଖଳା ବାରିକୁ ଆଣିବା ପାଇଁ ସଜବାଜ ହେଉଥିବାବେଳେ ଅଦିନିଆଁ ବର୍ଷା ଯୋଗୁଁ ଚାଷ ଜମିରେ ପାଣି ଜମି ପାଚିଲା ଧାନ ଗଜା ଉଠିଥିବା ନେଇ ଚିନ୍ତାରେ ଚାଷୀ । ପ୍ରାୟତଃ ଚାଷୀ ଧାନ ଉପରେ ନିର୍ଭର ଶିଳ ଥିବାବେଳେ ଧାର କରଜ କରି ଚାଷ କରିଥାନ୍ତି। ଧାନ ବ୍ୟୟ ବହୁଳ ଚାଷ ହୋଇଥିବାରୁ କ୍ଷୟକ୍ଷତି ଯୋଗୁଁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। କ୍ଷତି ଗ୍ରସ୍ତ ଚାଷୀ ଏବେ ଚିନ୍ତା ରେ ପଡ଼ିଥିବା ବେଳେ ଚାଷୀଙ୍କୁ କ୍ଷତି ପୂରଣ ଦେବା ନେଇ ଧର୍ମଗଡ ବ୍ଲକ ଅନ୍ତର୍ଗତ ଲୁହଗାଁ, ଗତାଗୁଡା, ସାଗୁନଭାଡ଼ିର ପ୍ରମୁଖ ଚାଷୀ ଧର୍ମଗଡ ତହସିଲଦାରଙ୍କ ଦ୍ୱାରସ୍ତ ହୋଇଛନ୍ତି। ଚାଷୀଙ୍କ ଅଭିଯୋଗ ଅନୁଯାଇ ଗତ ଲଘୁଚାପ ବର୍ଷା ଓ ପବନ ପ୍ରଭାବ ରେ ବହୁଳ ପରିମାଣରେ ଧାନ ଚାଷ କ୍ଷୟକ୍ଷତି ହୋଇଥିବା ଦାବି ପତ୍ରରେ ଉଲ୍ଲେଖ କରାଯାଇଛି। ଏହାର ଉଚିତ ତଦନ୍ତ ଓ କ୍ଷୟ କ୍ଷତି ର ଆକଳନ କରି ସହାୟତା ଯୋଗେଇଦେବାକୁ ଚାଷୀ ନବ କିଶୋର ନାଏକ, କାନ୍ଦର୍ପ ନାଏକ, କୃଷ୍ଣ ତାଣ୍ଡି, ଟିକେରାମ ସାହୁ, ଡିଙ୍ଗର ଗୋପାଳ, ମହିନ୍ଦ୍ର ନାଏକ, ଖଗେଶ୍ୱର ନାଏକ, ପୁରୁଷୋତ୍ତମ ଭୋଇ ପ୍ରମୁଖ ଦାବୀ କରିଛନ୍ତି। ଏନେଇ ତହସିଲଦାରଙ୍କୁ ପଚାରିବାରୁ ତୁରନ୍ତ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବ, ରିପୋର୍ଟ ଆସିଲା ପରେ ସରକାରଙ୍କୁ ଜଣାଇଦିଆଯିବ ବୋଲି କହିଥିଲେ। ଅନ୍ୟପଟେ ବ୍ଲକ କୃଷି ଅଧିକାରୀ ହେମାନନ୍ଦ ମାଝୀଙ୍କୁ ପଚାରିବାରୁ ବର୍ଷା କମ୍ ହୋଇଛି। ପବନ ଯୋଗୁଁ ଧର୍ମଗଡ ବ୍ଲକ ଅଞ୍ଚଳର ଲୁହାଗାଁ, କନାଗାଁ, କାଙ୍କେରୀ, ଟିପିଗୁଡା, ସଗୁନଭାଡି, ଚିଲିଚିଲା, ବୋଡେ଼ନ, ତରାପୁର, ଗଡିଆଜୋର ସମେତ ଅନେକ ସ୍ଥାନରେ ଧାନ ଫସଲ ଚାଷ ଜମିରେ ଶୋଇପଡ଼ିଥିବା ସ୍ୱୀକାର କରିଛନ୍ତି।

