ଭାଲୁ ଆକ୍ରମଣରେ ଶିଶୁକନ୍ୟା ଗୁରୁତର 

ଝରିଗାଁ/କ୍ରନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗୌଡ଼) : ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତର ବୈକାଧାଡ଼ି ଗ୍ରାମର ଜଣେ ଶିଶୁକନ୍ୟା ଭାଲୁ ଆକ୍ରମଣରେ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଶିଶୁକନ୍ୟା ଜଣକ ଗ୍ରାମର ଭୂମିକା ସାନ୍ତା (୨) ବୋଲି ଜଣାପଡିଛି। ସୂଚନା ଅନୁସାରେ, ଭୂମିକା ସାନ୍ତାଙ୍କ ମା’ ଜ୍ୟୋତି ସାନ୍ତା ଝିଅକୁ ଘରେ ଛାଡ଼ି ମକା ଭାଙ୍ଗିବାକୁ ଜଙ୍ଗଲକୁ ଯାଇଥିଲେ। ଭୂମିକା ମା’କୁ ଖୋଜି ଭୋକରେ କାନ୍ଦିବାରୁ ତାଙ୍କ ମାଉସୀ ଉଷୁମା ସାନ୍ତା ସାଙ୍ଗରେ ନେଇ ମକା ଜଙ୍ଗଲକୁ ଯାଇଥିବା ସମୟରେ ହଠାତ୍ ଭାଲୁ ଆକ୍ରମଣ କରିଥିଲା। ନିକଟରେ ମକା ଭାଙ୍ଗୁଥିବା ଲୋକେ ଚିତ୍କାର ଶୁଣି ଉଦ୍ଧାର କରି ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭାଲୁ ଆକ୍ରମଣରେ ଭୂମିକାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ଗୁରୁତର ହେତୁ ଭୂମିକାଙ୍କୁ ନବରଙ୍ଗପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।