ଅବ୍ୟବସ୍ଥା ଘେରରେ ଅଙ୍ଗନବାଡିକେନ୍ଦ୍ର ; ୩୬ କେନ୍ଦ୍ରର ନାହିଁ ନିଜସ୍ଵ ଗୃହ

ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ଥିବା ଅନେକ ଅଙ୍ଗନବାଡି କେନ୍ଦ୍ର ଅବ୍ୟବସ୍ଥା ଘେରରେ ରହିଛି।ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଏହି ବ୍ଲକର ୨୩ଗୋଟି ପଞ୍ଚାୟତରେ ମୋଟ ୩୦୪ଟି ଅଙ୍ଗନବାଡି କେନ୍ଦ୍ର ରହିଛି। ଏଥି ମଧ୍ୟରୁ ୨୬୮ଟି ଅଙ୍ଗନବାଡି କେନ୍ଦ୍ରରେ ନିଜସ୍ଵ ଗୃହ ଥିବାବେଳେ ୩୬ ଅଙ୍ଗନବାଡି କେନ୍ଦ୍ରରେ ନିଜସ୍ଵ କୋଠା ନାହିଁ। ନିଜସ୍ଵ ସ୍ଥାୟୀ ଗୃହ ନଥିବା ଫଳରେ କୁନି କୁନି ପିଲାମାନଙ୍କୁ କାହା ଘର ବାରଣ୍ଡାରେ ନଚେତ ଖୋଲା ଆକାଶ ତଳେ ଶିକ୍ଷାଦାନ କରିବାକୁ ପଡୁଛି। ତେବେ ଏସବୁ ମଧ୍ୟରେ କେତେକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ସାରିଥିଲେ ହିଁ ହସ୍ତାନ୍ତର ହୋଇନାହିଁ, ଅନ୍ୟ କେତେକ ଅଙ୍ଗନବାଡି ଗୃହ ଠିକାଦାରଙ୍କ ଅବହେଳା ଯୋଗୁଁ ଅଧାପନ୍ତରିଆ ଭାବେ ରହିଛି, କେଉଁଠି କୋଠା ନଥିବା ରୁ ଆଦୌ ଶିକ୍ଷାଦାନ ହେଉନଥିବା ସୂଚନା ରହିଛି। ଅନ୍ୟପଟେ ୩୬ଟି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ହୋଇ ନଥିବାବେଳେ ୧୪୬ଟି ସ୍ଥାନରେ ଅଙ୍ଗନବାଡି କେନ୍ଦ୍ରରେ ନଳକୂପର ବ୍ୟବସ୍ଥା ନାହିଁ। ଏହିସବୁ ଅବ୍ୟବସ୍ଥା ଘେରରେ ଅନେକ ଅଙ୍ଗନବାଡି କେନ୍ଦ୍ର ଗତି କରୁଛି। ଯାହା ଫଳରେ ପ୍ରସୂତୀ, ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି। ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ଥିବା ୩୦୪ ଅଙ୍ଗନବାଡି କେନ୍ଦ୍ରକୁ ୧୩ଗୋଟି ସେକ୍ଟରରେ ଭାଗ କରାଯାଇଛି। ଏହି ସବୁ ସେକ୍ଟର ପାଇଁ ଜଣେ ଲେଖାଏଁ ନିଯୁକ୍ତି ରହିବା କଥା ୪ ଜଣ ସୁପରଭାଇଜର ରେ କାମ ଚାଲିଛି। ପଦବୀ ଖାଲି ପଡ଼ିଥିବାରୁ ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ଏହିସବୁ ସମସ୍ୟାର ସମାଧାନ ଦିଗରେ ପ୍ରଶାସନ ପଦକ୍ଷେପ ନିଅନ୍ତେ ତା’ହେଲେ ଅଞ୍ଚଳର ଅଙ୍ଗନବାଡି ସେବା ଅଧିକ ସୁଗମ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।