ବାରମ୍ବାର ଦାବି ପରେ ଶୁଣୁ ନାହିଁ ପ୍ରଶାସନ : ପୁଣି ତିଆରି କଲେ ଅସ୍ଥାୟୀ କାଠ ପୋଲ

କଲ୍ୟାଣସିଂହପୁର/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ : ବାରମ୍ବାର ଦାବି ପରେ ଶୁଣୁ ନାହିଁ ପ୍ରଶାସନ, ପୁଣି ଗ୍ରାମବାସୀ ତିଆରି କଲେ କାଠପୋଲ, ଏଭଳି ଘଟଣା ଦେଖିବା କୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତ ତଳସାଜା ଉପରସାଜା ଗାଁ ରେ।  ଗାଁ କୁ ଯିବା ପାଇଁ ହେଲେ ନାଗାବଳି ନଦୀ ପାର୍ କରି ଯିବା କୁ ପଡ଼େ ହେଲେ ବର୍ଷା ଦିନ ହେଲେ ଗାଁ ଲୋକେ ଯାତାୟତରେ ନାହିଁ ନଥିବା ହଇରାଣ ହେଉଛନ୍ତି। ଉପର ସାଜା ଗ୍ରାମରେ ୧୫ରୁ ଉଦ୍ଧ୍ୱର୍ ପରିବାର ସହିତ ତଳ ସାଜା ଗ୍ରାମର ପ୍ରାୟ ୪୪ ପରିବାର ଉକ୍ତ ରାସ୍ତା ଉପରେ ବର୍ଷ ବର୍ଷ ଧରି ନିର୍ଭର କରିଥାନ୍ତି। ପ୍ରତିଦିନ ବିଭିନ୍ନ କାମରେ ପଂଚାୟତ ସଦର ମହକୁମାକୁ ନଦୀ ଭିତର ଦେଇ ଏହି ୨ଟି ଗ୍ରାମର ଆଧିବାସୀ ମାନଙ୍କୁ ଯିବାକୁ ପଡୁଥିଲା। କେହି ରୋଗରେ ପଡିଲେ ହେଉ କିମ୍ବା କୁନି କୁନି ପିଲାମାନେ ଶିକ୍ଷାଦାନ ପାଇଁ ବିଦ୍ୟାଳୟକୁ ଯିବାକୁ ହେଲେ ମଧ୍ୟ ଉକ୍ତ ରାସ୍ତା ଉପରେ ନିର୍ଭର କରିଥାନ୍ତି। ଗ୍ରାମବାସୀମାନେ ବହୁବାର ବ୍ଲକ ଠାରୁ ନେଇ ଜିଲ୍ଲା ପ୍ରସାସନ ନିକଟରେ ପୋଲ ନିର୍ମାଣ ପାଇଁ ଅନୁରୋଧ କରି ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି। ଏନେଇ ପୂର୍ବରୁ ବାରମ୍ବାର ଅଞ୍ଚଳବାସୀ ପ୍ରଶାସନଙ୍କୁ ଅବଗତ କରାଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ କୌଣସି ପ୍ରକାର ପୋଲ ନିର୍ମାଣ ହୋଇ ପାରି ନଥିବା ବେଳେ ପ୍ରତ୍ୟେକ ବର୍ଷର ଏହିଭଳି ଭାବେ ଗ୍ରାମବାସୀ, ଯୁବକ ଓ ଛାତ୍ର ମାନେ ମିଳିତ ଭାବେ ଉକ୍ତ ଅସ୍ଥାୟୀ କାଠ ପୋଲ ନିର୍ମାଣ କରିଥାନ୍ତି। ବାରମ୍ବାର ଅନୁରୋଧ ପରେ ମଧ୍ୟ କୌଣସି ପ୍ରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଶେଷରେ ନିରାଶ ହୋଇ ଆଜି ପୁଣିଥରେ ଗ୍ରାମର ଗ୍ରାମବାସୀ ଓ ଯୁବଗୋଷ୍ଠି ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଥିଲେ। ସମସ୍ତେ ଶ୍ରମଦାନ କରି ସେଠାରେ ଏକ କାଠ ପୋଲ ନିର୍ମାଣ କରାଯାଉଛି ବୋଲି ଗ୍ରାମର ଆପୋନା ମିଣିଆକା, ପ୍ରକାଶ କରିଛନ୍ତି। ତେବେ ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ସେଠାରେ ଏକ କଂକ୍ରିଟ୍ ପୋଲ ନିର୍ମାଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।