କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ ( ମଧୁସୂଦନ ଠାକୁର) : ଚାପମୁକ୍ତ ଶିକ୍ଷଣ ପରିବେଶ ତଥା ପାଠ୍ୟ ପୁସ୍ତକର ଚାପରୁ ମୁକ୍ତ ହେଲେ ହିଁ ଆନନ୍ଦଦାୟକ ଓ ବ୍ୟବହାରିକ ଜ୍ଞାନ ସମ୍ବଳିତ ସାମଗ୍ରିକ ବିକାଶର ବାଟ ଖୋଲିବାର ସମ୍ଭବ ବୋଲି କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ‘ନୋ ବେଗ୍ ଡେ’ ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ମତବ୍ୟକ୍ତ କରିଛନ୍ତି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମୀର କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଏହି ଏକ ଦିବସୀୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ କେସିଙ୍ଗା ଏନ୍.ଏ.ସି.ର ସି.ଆର୍. ସି.ସି. ଚନ୍ଦ୍ରଧ୍ବଜ ନାଗ ଏବଂ କଶୃପଡା ସି.ଆର୍.ସି.ସି. ଶ୍ରୀ ଗୋବିନ୍ଦ ବାଗ ଯୋଗଦାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରୀମାନେ କୌଶଳୀ, ଜିଜ୍ଞାସା,ସୃଜନୀ,କ୍ରୀଡ଼ାଙ୍ଗନ୍, ଖାଦ୍ୟ ମେଳା, ଆର୍ଟ ଓ କ୍ରାଫ୍ଟ ଆଦି ପ୍ରସଙ୍ଗ ଆଧାରିତ ବିଭିନ୍ନ ପ୍ରକାର ଶିକ୍ଷଣ ମୋଡେଲ୍ ଓ ସମ୍ଭାର ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନୀରେ ସ୍ଥାନୀୟ ପି.ଏମ୍.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, କେସିଙ୍ଗାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ବିଭିନ୍ନ ଷ୍ଟଲ ବୁଲିବା ସହ ପ୍ରତ୍ୟକ୍ଷ ବ୍ୟବହାରିକ ଜ୍ଞାନ ଆହରଣ କରିବାର ସୁଯୋଗ ଲାଭ କରିଥିଲେ। ଏହି ‘ନୋ ବେଗ୍ ଡେ’ର ସଫଳ ଆୟୋଜନ କରିବାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ,ଅଣଶିକ୍ଷକ କର୍ମଚାରୀ ଗଣ ତଥା ଛାତ୍ରୀମାନେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ ।
