ସଁଇତଲା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ମାନବ ଅଧିକାର ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ଆଦିବାସୀ ପରମ୍ପରାର ବିକାଶ ଯାତ୍ରା” କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଯାତ୍ରା ୧୫ ନଭେମ୍ବର ବିର୍ସାମୁଣ୍ଡା ଜୟନ୍ତୀ ଉପଲକ୍ଷେ କମରଲଗା ଗ୍ରାମରୁ ଆରମ୍ଭ ହୋଇଥିଲା। ପରେ ପରେ ଲମକାନୀ, ଗଡରାମୁଣ୍ଡା, ବ୍ରହ୍ମଣି, ଜାମପଦର, ପେଣ୍ଡରମାଳ, କୁଜାରପଡା, ବିବିନା, ରେଙ୍ଗାଲି, ଟିକ୍ରାପଡା ଆଦି ଗ୍ରାମଗୁଡିକରେ ନୂତନ ପିଢିଙ୍କୁ ବାର୍ତ୍ତା ଦେବା ସକାଶେ ଜଙ୍ଗଲ ପରିଭ୍ରମଣର, ଛ ତିଅଣ ନ ଭାଜ, ଅନାଚାଷିତ ଖାଦ୍ୟ, ପାଗ ପରିବର୍ତନ, ଚାଷ, ପାରମ୍ପରିକ ନାଚ ଗୀତ ଖେଳ କୁଦ, ପର୍ବପର୍ବାଣି, ଜଙ୍ଗଲଜାତ ଦ୍ରବ୍ୟ କୁନେଇ ଘରୋଇ ଉଦ୍ୟୋଗ ବିଷୟରେ ପ୍ରବନ୍ଧ ଲିଖନ ଏବଂ ୨୦୪୭ ବିକଶିତ ଭାରତ କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଭଳି ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ର ମୁଲ ଲକ୍ଷ୍ୟ ଥିଲା ଆଦିବାସୀ ସମୁଦାୟର ପରମ୍ପରା, ସଂସ୍କୃତି, ପୋଶାକ, ନୃତ୍ୟ ଓ ଭାଷାକୁ ସୁରକ୍ଷା ଦେବା ସହ ତାଙ୍କ ମାନବିକ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା। ଯାତ୍ରାରେ ଆଦିବାସୀ ଯୁବ-ଯୁବତୀମାନେ ପାରମ୍ପରିକ ପୋଶାକ ପରିଧାନ କରି ନୃତ୍ୟ ପରିବେଷଣ କରିଥିଲେ। ସ୍କୁଲ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ ଗ୍ରାମ୍ୟ ପରିଭ୍ରମାଣ କରାଯାଇଥିଲା। ପଥଚାରୀମାନଙ୍କୁ “ସମାନ ଅଧିକାର”, “ନ୍ୟାୟ ଓ ସମ୍ମାନ” ବାର୍ତ୍ତା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ସ୍ଥାନୀୟ ପ୍ରଶାସନ ଓ ଅନେକ ସଚେତନ ନାଗରିକ ଯୋଗଦେଇ ଆଦିବାସୀ ଅଧିକାର ସୁରକ୍ଷା ଓ ସଂସ୍କୃତି ସଂରକ୍ଷଣ ଉପରେ ଆଲୋଚନା କରିଥିଲେ। ବକ୍ତାମାନେ କହିଥିଲେ ଯେ ଆଦିବାସୀ ସମୁଦାୟର ପରମ୍ପରା ହେଉଛି ଆମ ଜାତୀୟ ପରିଚୟର ମୂଳ ଆଧାର, ଏହାକୁ ବଞ୍ଚାଇ ରଖିବା ସମସ୍ତଙ୍କ ଦାୟିତ୍ୱ। ଏହି “ଆଦିବାସୀ ପରମ୍ପରା ବିକାଶ ଯାତ୍ରା” ମାଧ୍ୟମରେ ସମାଜକୁ ଏକ ଶକ୍ତିଶାଳୀ ବାର୍ତ୍ତା ଦିଆଗଲା। କାର୍ଯ୍ୟକ୍ରମରେ ପେଣ୍ଡରମାଳ ସ୍କୁଲ ଶିକ୍ଷୟତ୍ରୀ କୌଶଲ୍ୟା ପଧାନ, ଗ୍ରାମର ବୋର୍ଡ ମେମ୍ବର ଗୀତାଞ୍ଜଳି ଭୋଇ ସଂଗଠନ ଜିଲ୍ଲା ସମ୍ପାଦିକା ଜେନାମଣି ମଲ୍ଲିକ ଓ ଲୋକ ଉନ୍ନତି ସଂଗଠନର ଗୀତାଞ୍ଜଳି କୁମ୍ଭାର, ଜୟନ୍ତ ରଣା ପରମେଶ୍ୱର ରଣା ଉପସ୍ଥିତ ଥିଲେ।
