ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (କୈଳାସ ଚନ୍ଦ୍ର ବିଷୋୟୀ) : ରାଜ୍ୟରେ ନଭେମ୍ବର ୨୫ ତାରିଖରୁ ପଞ୍ଜୀକୃତ ଚାଷୀଙ୍କ ଧାନ ବିକ୍ରି ପାଇଁ ମଣ୍ଡି ଆରମ୍ଭ ହୋଇଥିବାବେଳେ ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାରେ ଡିସେମ୍ବର ୧୭ ତାରିଖରୁ ଖରିଫ ଧାନ ମଣ୍ଡି ଆରମ୍ଭ କରାଯିବ ବୋଲି ନିଷ୍ପତି ନିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କୋହଲା ପାଗ ଏବଂ ମଣ୍ଡେଇ ମହୋତ୍ସବ ଲାଗି ମଣ୍ଡି ଆସନ୍ତା ୧୭ରେ ଚାଷୀଙ୍କ ଧାନ କ୍ରୟ କରାଯିବ ବୋଲି ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି । ମଣ୍ଡି ଆରମ୍ଭ ହେବାକୁ ମାତ୍ର ୪ଦିନ ଥିବା ବେଳେ ଏପର୍ଯ୍ୟନ୍ତ ଚାଷୀ ଙ୍କୁ ଟୋକନ ପ୍ରଦାନ କରାଯାଇନାହିଁ। ମଣ୍ଡି ଖୋଲିବାକୁ ଜିଲ୍ଲା ପ୍ରଶାସନ ଆଦୌ ପ୍ରସ୍ତୁତ ନାହିଁ କାରଣ ଏଯାଏଁ ଜିଲ୍ଲାର ଜଣେ ହେଲେ ମିଲ୍ର କଷ୍ଟମ ମିଲିଙ୍ଗ ପାଇଁ ସହମତି ପ୍ରକାଶ କରିନାହାନ୍ତି କି ଏପର୍ଯ୍ୟନ୍ତ ଜଣେ ହେଲେ ଚାଷୀ ଟୋକନ ପାଇନାହାନ୍ତି। ଡିସେମ୍ବର ପହିଲାରୁ ଆରମ୍ଭ ହେଉଥିବା ଖରିଫ ଧାନ ମଣ୍ଡି ଆସନ୍ତା ୧୭ ଡ଼ିସେମ୍ବର ରୁ ଜିଲ୍ଲାରେ ଆରମ୍ଭ ହେବ ଧାନ ମଣ୍ଡି କିନ୍ତୁ ଆଜି ପର୍ଯ୍ୟନ୍ତ ଟୋକେନ ମିଳି ନଥିବାରୁ ମଣ୍ଡିରେ କିଭଳି ଧାନ ବିକ୍ରି କରିବେ ସେନେଇ ଚାଷୀ ଦ୍ବନ୍ଦ୍ବରେ ରହିଛନ୍ତି। ସପ୍ତାହେ ଆଗରୁ ଟୋକନ ଆସିଲେ ଚାଷୀ ଧାନ ବିକ୍ରି ପାଇଁ ପ୍ରସ୍ତୁତ ହୁଅନ୍ତେ ବୋଲି ଚାଷୀ ମାନେ କହିଛନ୍ତି । ଜିଲ୍ଲାରେ ୧୩ଟି ଲ୍ୟାମ୍ପସ, ୪୪ଟି ସଂୟ ସହାୟକ ଗୋଷ୍ଠୀ ଓ ୨ଟି ପାଣି ପଞ୍ଚାୟତ ମାଧ୍ଯମରେ ୫୦୯୧୯ ଜଣ ପଞ୍ଜୀକୃତ ଚାଷୀଙ୍କ ଧାନ କିଣା ଯିବ ବୋଲି ସୂଚନା ମିଳିଛି। ସେହିପରି ପାପଡାହାଣ୍ଡି ବ୍ଲକର ପ୍ରାୟ ଚାଷୀ ଜମିରୁ ଧାନ କାଟି ଖଳାରେ ରଖିଥିବାବେଳେ ସେଥି ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଚାଷୀ ଧାନ ଅମଳ କରି ସୁରକ୍ଷିତ ଭାବେ ରଖିଛନ୍ତି। ଡିସେମ୍ବର ୧୭ ତାରିଖରେ ମଣ୍ଡି ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ସୁଦ୍ଧା ଚାଷୀଙ୍କ ନିକଟକୁ ଟୋକେନ୍ ଆସିନଥିବାରୁ କେତେବେଳେ ଟୋକେନ ର ମେସେଜ ମୋବାଇଲରେ ଆସିବ ତାକୁ ଚାତକ ପରି ଅନେଇ ରହିଛନ୍ତି। ପୂର୍ବରୁ ଯଦି ଟୋକେନ୍ ମେସେଜ ଆସିଲେ ଚାଷୀମାନଙ୍କୁ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ସମୟ ମିଳିବା ସହିତ ପ୍ରସ୍ତୁତ ହେବେ ବୋଲି ସ୍ଥାନୀୟ ଚାଷୀ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ପାପଡାହାଣ୍ଡି ବ୍ଲକର ପାପଡାହାଣ୍ଡି ଓ ମୈଦଲପୁର ଲ୍ୟାମ୍ପ୍ସ ବ୍ୟତୀତ ଚାଷୀଙ୍କ ଠାରୁ ୮ଟି ଏସ୍ଏଚ୍ଜି ପକ୍ଷରୁ ଧାନ କିଣାଯିବା ପାଇଁ ଯୋଗାଣ ବିଭାଗ ସହ ଚୁକ୍ତି କରିଥିବା ଜଣାପଡ଼ିଛି। ପାପଡ଼ାହାଣ୍ଡି ଲ୍ୟାମ୍ପସରେ ୧୪୩୪ ଚାଷୀ ପଞ୍ଜିକୃତ କରିଥିବାବେଳେ ମୈଦଲପୁର ଲ୍ୟାମ୍ପ୍ସ ରେ ୧୪୭୭ ଚାଷୀ ପଞ୍ଜୀକୃତ କରିଛନ୍ତି। ସେହିପରି ବ୍ଲକରେ ଜ୍ୟୋତି ସ୍ଵୟଂ ସହାୟକ ଏସଏଚଜିରେ ୭୨୭ ଜଣ ଚାଷୀ, ମା ବିରଜା ଏସଏଚଜିରେ ୧୭୮ ଜଣ ଚାଷୀ, ଜଟାବାଲ ମା ବୃନ୍ଦାବତୀ ଏସଏଚଜିରେ ୬୧୮ ଜଣ ଚାଷୀ, କଳା ଧାରିଣୀ ଏସଏଚଜିରେ ୭୭୨ ଜଣ ଚାଷୀ, ସେମଳା ଜ୍ୟୋତିର୍ମୟ ଏସଏଚଜିରେ ୬୦୧ ଜଣ ଚାଷୀ, ରାଉଳିଗୁଡା ମା ମଙ୍ଗଳା ଏସଏଚଜିରେ ୩୪୭ ଜଣ ଚାଷୀ, ଜୟ ଜଗନ୍ନାଥ ଏସଏଚଜିରେ ୪୪୯ ଜଣ ଚାଷୀ, ମା ଲକ୍ଷ୍ମୀ ନାରାୟଣୀ ଏସଏଚଜିରେ ୩୭୯ ଜଣ ଚାଷୀ ପଞ୍ଜିକୃତ କରିଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ସର୍ବମୋଟ ପାପଡାହାଣ୍ଡି ବ୍ଲକ ରେ ୬୯୮୬ ଜଣ ଚାଷୀ ପଞ୍ଜୀକୃତ କରିଛନ୍ତି । ଗତବର୍ଷରୁ ସରକାର ଧାନ ଦ୍ବିଣ୍ଟାଲ ପିଛା ୩୧୦୦ଟଙ୍କାରେ ଧାନ କିଣିବା ପାଇଁ ନିଷ୍ପତ୍ତ ନେବା ବେଳେ ଚଳିତ ବର୍ଷ ୬୯ ଟଙ୍କା ମିଶି ୩୧୬୯ ଟଙ୍କା ରେ ଚାଷୀଙ୍କ ଠାରୁ ଧାନ କିଣିବା ସହ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଧାନ ବିକ୍ରି ଟଙ୍କା ୪୮ ଘଣ୍ଟା ମଧ୍ୟରେ ଜମା ହେବା ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ମଣ୍ଡିରେ କଟନିଛଟନିକୁ ନେଇ ମଧ୍ୟ ଚାଷୀ ଦ୍ବନ୍ଦ୍ବରେ ରହିଛନ୍ତି। ଚାଷୀ ପ୍ରତେକ ବର୍ଷ କଟନିଛଟନି ର ଶିକାର ହେବାକୁ ପଡୁଛି। ସରକାର କଟନିଛଟନି ବ୍ୟବସ୍ତା କୁ ପ୍ରସହ ଦେଉନଥିବା ବେଳେ ଜିଲ୍ଲା ପ୍ରଶାସନ ଏ ଦିଗରେ ଗୁରୁତ୍ଵ ଦେଉନାହିଁ ଯାହା ଫଳରେ ଚାଷୀ କଟନି ଛଟନିର ଶିକାର ହେବାକୁ ପଡୁଛି। ଚଳିତ ବର୍ଷ ଧାନରେ ଅନେକ ରୋଗ ପକ ଲାଗିଥିବାରୁ ନାନା ଖର୍ଚ୍ଚାନ୍ତ ହେବା ସହ ଅମଳ ବେଳେ କୋହଲା ପାଗ ଯୋଗୁଁ ନାନା ହିନସ୍ଥା ହେବାକୁ ପଡ଼ିଛି। ଅମଳ ମଧ୍ୟ ଠିକ୍ ସେ ଆସୁନାହିଁ । ଏଣଙ ଶୀଘ୍ର ଟକେନ ପ୍ରଦାନ କରିବା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନକୁ ଚାଷୀ ଦାବି କରିଛନ୍ତି। କେବେ ଚାଷୀଙ୍କ ଉପାର୍ଜିତ ଧାନ ମଣ୍ଡିରେ ବିକ୍ରି କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
