କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍, (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ଆମୋହମଣି ମହାବିଦ୍ୟାଳୟ ଠାରେ ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ବିରଞ୍ଚି ମାଝୀଙ୍କ ଅଧ୍ୟକ୍ଷତାରେ ତିନିଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବର ଉଦଯାପନୀ ଦିବସରେ ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝୀ ଏବଂ ନିବେଦିତା ହଂସ, ମୁଖ୍ୟବକ୍ତା ଭାବରେ ବିବେକାନନ୍ଦ ଠାକୁର, ସମ୍ମାନୀୟ ଅତିଥି +୩ କଲେଜର ଭୂଗୋଳ ଅଧ୍ୟାପକ ଧରଣୀଧର ପୁଝାରୀ, ପିଇଟି ଶିକ୍ଷକ ସୁରେନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ। କ୍ରୀଡା ମଣିଷକୁ ସ୍ୱାସ୍ଥ୍ୟ ବାନ ରଖିବା ସହିତ ମନକୁ ପ୍ରଫୁଲ୍ଲିତ ରଖିବା ସହିତ ଶକ୍ତି ମଧ୍ୟ ଯୋଗାଇଥାଏ। ତେଣୁ ନିୟମିତ ବ୍ୟାୟାମ ଶରୀର ପାଇଁ ନିହାତି ଜରୁରୀ। ଯୁବକ ଯୁବତୀ ଉତ୍କର୍ଷ କ୍ରୀଡା ପ୍ରଦର୍ଶନ କରି ନିଜ ଅଞ୍ଚଳ ଏବଂ ଦେଶ ପାଇଁ ଗୌରବ ସୃଷ୍ଟି କରିବାକୁ ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଥିଲେ। ତିନିଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଗୌରୀ ନାଏକ ବାଳିକା ବିଭାଗ ଚମ୍ପିଆନ ହୋଇଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ନୃତ୍ୟ ପରିବେଷଣ ହୋଇଥିଲା। ଯୁବ ରେଡକ୍ରସ ପରାମର୍ଶ ଦାତା ତଥା ଅଧ୍ୟାପକ ବିଭୁତି ଭୁଷଣ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଅର୍ଥଶାସ୍ତ୍ର ଅଧ୍ୟାପକ ମଳୟ ମହାକୁଡ଼, ରାଜନୀତି ବିଜ୍ଞାନ ଅଧ୍ୟାପିକା ମଧୁସ୍ମିତା ପ୍ରଧାନ, ଓଡ଼ିଆ ଅଧ୍ୟାପକ ଡୋଳେଶ୍ୱର ମାଝୀ, ଅତିଥି ଇଂରାଜୀ ଅଧ୍ୟାପିକା ଜସ୍ମିନ ପାଣିଗ୍ରାହୀ, ଭୂଗୋଳ ଅଧ୍ୟାପିକା ଦିବ୍ୟାଶ୍ରୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ଅଧ୍ୟକ୍ଷ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
