କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ଅଞ୍ଚଳର ଜଣେ ଦକ୍ଷତା ସମ୍ପନ୍ନ ଗୋବର୍ଦ୍ଧନ ନାଏକ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ପଦୋନ୍ନତି ହୋଇ ପ୍ରଥମ କରି କଲମପୁର ଉପର ଇନ୍ଦ୍ରାବତୀ ଦକ୍ଷିଣ କେନାଲ ଉପ ବିଭାଜନ ନଂ ୨ ଅନ୍ତର୍ଗତ କେନାଲ ଗୁଡ଼ିକକୁ ସୋମବାର ଦିନ ପରିଦର୍ଶନରେ ଆସିଥିଲେ। ତାଙ୍କୁ କଲମପୁର ଅଞ୍ଚଳବାସୀଙ୍କ ତରଫରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା। ତାଙ୍କ ସହପାଠୀ ରାଜେଶ ଶର୍ମା, ରାମ ସାହୁ, ବ୍ରଜେନ୍ଦ୍ର ସାହୁ ସମେତ କୃଷକ କଲ୍ୟାଣ ପରିଷଦ ସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ମହେନ୍ଦ୍ରନାଥ ସାହୁ, ନଳୀନ ପଟ୍ଟନାୟକ, ଶୁଭେନ୍ଦୁ ପଣ୍ଡା ପ୍ରମୁଖ ସମେତ ଚାଷୀମାନେ ଉପସ୍ଥିତ ଥିଲେ। ଏଥିସହ ପାଣିପଞ୍ଚାୟତ ସଭାପତି ସମ୍ପାଦକ ଏବଂ ସଦସ୍ୟ ମାନେ ଉପସ୍ଥିତ ରହି ଇନ୍ଦ୍ରାବତୀ କେନାଲରେ ଜଳ ଯୋଗାଣ ହେବାଦିନ ଠାରୁ ଦକ୍ଷିଣ ମୁଖ୍ୟ କେନାଲ ସହିତ ମାଇନର ସବମାଇନର କେନାଲ ମାନଙ୍କର ଜରାଜୀର୍ଣ୍ଣ ଅବସ୍ଥା ହେତୁ ଚାଷୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ କୃଷକ କଲ୍ୟାଣ ପରିଷଦ ପକ୍ଷରୁ କେନାଲ ମରାମତି, କେନାଲ ରାସ୍ତା ନିର୍ମାଣ, ଜଳ ନିଷ୍କାସନ, କେନାଲର ଉପର ମୁଣ୍ଡରୁ ତଳ ମୁଣ୍ଡ ଯାଏଁ ଜଳର ସୁଷମ ବଣ୍ଟନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଶ୍ରୀନାଏକଙ୍କୁ ଭବ୍ୟ ସ୍ଵାଗତ ସମୟରେ ସହକାରୀ ଯନ୍ତ୍ରୀ କଳାକାର ବାଗ, ପ୍ରତାପଚନ୍ଦ୍ର ବେହେରା, କନିଷ୍ଠ ଯନ୍ତ୍ରୀ ଶ୍ରୀନିବାସ ରାଉତ ପ୍ରମୁଖଙ୍କ ଉପସ୍ଥିତିରେ ସିସି ଗୋବର୍ଦ୍ଧନ ନାଏକ କେନାଲ ସବୁର ପରିଦର୍ଶନ କରିବାସହ ଚାଷୀ ମାନଙ୍କୁ ନେଇ ଏହାର ସୁଧାର ଆଣିବା ପାଇଁ ଆଲୋଚନା କରିଥିଲେ। ଏଥିସହ ସମସ୍ୟା ଥିବା କେନାଲର ଏଷ୍ଟିମେଟ କରି ଉଚ୍ଚ ସ୍ତରରେ ତୁରନ୍ତ ସମାଧାନର ପନ୍ଥା ଅବଲମ୍ବନ କରାଯିବା ନେଇ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀନାଏକ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟପକ୍ଷରେ ଗୁମାବହାଲ ଠାରେ ଥିବା କାର୍ଯ୍ୟାଳୟରେ କର୍ମଚାରୀ ରହୁ ନ ଥିବାରୁ ଚାଷୀ ମାନଙ୍କ ଅଭିଯୋଗ ମଧ୍ୟ କେହି ଶୁଣନ୍ତି ନାହିଁ ବୋଲି ଚାଷୀ ମାନଙ୍କ ଦାବୀ ରହିଥିଲା। ତାଉପରେ ମଧ୍ୟ ଶ୍ରୀନାଏକ ଗୁରୁତ୍ଵ ଦେଇଥିବା ଜଣାପଡିଛି।
