ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତର କେବିଡି ଗ୍ରାମକୁ ରାଜସ୍ବ ଗ୍ରାମ ମାନ୍ୟତା ଦାବି ପାଇଁ ୧୫ଗୋଟି ପଡ଼ାବାସୀ ଝରିଗାଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଇଚ୍ଛାପୁର ପଞ୍ଚାୟତ ଅଧିନରେ ଥିବା କେବିଡି, ଧୂମାଆମ, ଢ଼େପଗୁଡା, କୁରୁଲୁଭଟ୍ଟା, ଡ଼ଙ୍ଗରୀଗୁଡା, କର୍ଲାପଡା, ଡୁମୁନିଗୁଡା, ଗଟିପଡା, ଖଲିଆପାଣି, ବରପାଣି, ନୁଆଁପଡା, କରାଡ଼ଙ୍ଗରୀ, ବେନ୍ଦ୍ରାପାଣି, ଗୋଇଚଚରା ଭଳି ୧୫ଟି ପଡ଼ାଗ୍ରାମରେ ଜନସଂଖ୍ୟା ୩ହଜାରରୁ ଉର୍ଦ୍ଧ ରହିଥିବା ବେଳେ ଭୋଟର ସଂଖ୍ୟା ୨ହଜାରରୁ ଉର୍ଦ୍ଧ ରହିଛି । ତେବେ ଏହି ସମସ୍ତ ଗ୍ରାମବାସୀ ବିଭିନ୍ନ କାମ ପାଇଁ ଇଚ୍ଛାପୁର ଉପରେ ନିର୍ଭର କରି ଆସୁଛନ୍ତି । ଅନେକ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ଓ ବିଦ୍ୟାଳୟ ନଥିବବେଳେ କିଛି ଗ୍ରାମରେ ରାସ୍ତାଘାଟର ସୁବିଧା ନାହିଁ। କେବିଡି ସମସ୍ତ ଗ୍ରାମର କେନ୍ଦ୍ରସ୍ଥଳ ହୋଇଥିବାରୁ କେବିଡି ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କଲେ ସମସ୍ତ ଗ୍ରାମବାସୀ ଉପକୃତ ହେବେ ବୋଲି ଦାବିପତ୍ରରେ ଦର୍ଶାଯାଇଛି ।
