କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି କଲମପୁର ବ୍ଲକ ଅନ୍ତର୍ଗତ ମଣ୍ଡଳ ପେକ୍ସ ଅଧୀନରେ ଥିବା ସମସ୍ତ ମଣ୍ଡି ଉଦଘାଟନ ହୋଇଥିଲେ ମଧ୍ୟ ଆଜିଯାଏଁ ମଣ୍ଡି ମାନଙ୍କରୁ ଧାନ ଉଠାଣ ହୋଇନପାରିବା ଚାଷୀକୁ ଚିନ୍ତାରେ ପକାଇଛି। ମଣ୍ଡଳ ପେକ୍ସ ଅନ୍ତର୍ଗତ ରତାଳୁପଡା ଛକ ଠାରୁ ଜୟପାଟଣା-ମୋଟେର ଆରଡ଼ି ମୁଖ୍ୟ ରାସ୍ତାର ମତୁଆଲଗୁଡା କ୍ରସର ଛକ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛିl ଫଳରେ ମଣ୍ଡିରୁ ଯାଉଥିବା ଧାନ ବୋଝେଇ ଟ୍ରକ ଗୁଡିକ ସେହି ରାସ୍ତାରେ ଯାତାୟାତ କରିବା ବହୁ କଷ୍ଟକର ହୋଇ ପଡିଛି। ଦୀର୍ଘ ଦିନରୁ ଏହି ରାସ୍ତାଟି ବଡ଼ ବଡ଼ ଖାଲ ଖମା ସୃଷ୍ଟି ହୋଇ ରହିଛି। ବାଇକ ଟିଏ ମଧ୍ୟ ଯିବା ଆସିବା କଷ୍ଟକର ହୋଇପଡିଛି। ହେଲେ ଏହି ରାସ୍ତା ପ୍ରତି କାହାର ନଜର ପଡୁନାହିଁl ବର୍ତ୍ତମାନ ଧାନ ମଣ୍ଡି ଆରମ୍ଭ ହେବା ପରେ ଧାନ ବୋଝେଇ ଟ୍ରକ ଯାତାୟାତ କରିବା କଷ୍ଟସାଧ୍ୟ ହୋଇପଡିଛି। ମଣ୍ଡିକୁ ଧାନ ନେବା ପାଇଁ ଆସିଥିବା ଟ୍ରକ ଗୁଡିକ ରାସ୍ତା ପରିସ୍ଥିତିକୁ ଦେଖି ଫେରିଯାଉଥିବା ଚାଷୀ ପ୍ରକାଶ କରିଛନ୍ତି। ମିଲର୍ସ ଏବଂ ଟ୍ରକ ମାଲିକ ରାସ୍ତା ମରାମତି ନ କଲେ ମଣ୍ଡି ରୁ ଅଦ୍ୟୋ ଧାନ ନେଇ ପାରିବୁନି ବୋଲି ରୋକଠୋକ ମନା କରିଦେବା ଚାଷୀ ପାଇଁ ଭାଲେଣି ପଡ଼ିଛି। ଆସିଥିବା ଟ୍ରକ ଗୁଡିକ ଧାନ ନ ନେଇ ଫେରି ଯାଉଛନ୍ତି। ଫଳରେ ଚାଷୀଙ୍କ ଅଡୁଆ ବଢ଼ି ଯାଇଛି।

ଚିନ୍ତାଗ୍ରସ୍ତ ଚାଷୀ ଏଭଳି ସମସ୍ୟା ଉପୁଜିବାରୁ ବ୍ଲକ ପ୍ରଶାସନକୁ ଅନୁରୋଧ କରିଥିଲେ। ଅନୁରୋଧ କ୍ରମେ ଘଟଣା ସ୍ଥଳକୁ କଲମପୁର ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗି, ସହକାରୀ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ସେଠି, କନିଷ୍ଠ ଯନ୍ତ୍ରୀ ପିତାମ୍ବର ହେମ୍ରମ ଘଟଣା ସ୍ଥଳକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ସେ ସମୟରେ ପେକ୍ସ ସଭାପତି ମହେନ୍ଦ୍ର ଯୋଶୀ, କୋଟାଗାଁ ସରପଞ୍ଚ ଚନ୍ଦନ ପଣ୍ଡା, ସମ୍ପାଦକ ନବୀନ ନାଗ ମଧ୍ୟ ଉପସ୍ଥିତ ଥିଲେ। ଉପରିସ୍ଥ ବିଭାଗୀୟ ଅଧିକାରୀ ମାନଙ୍କ ସହ କଥା ମଧ୍ୟ ହୋଇଥିଲେ ହେଲେ କୌଣସି ଫଳପ୍ରଦ ହେଲା ନାହିଁ। ଫଳରେ ଅନ୍ୟ ଉପରେ ଭରସା ନ କରି ମଣ୍ଡଳ ଏବଂ ନୂଆଗାଁର ଚାଷୀ ସମୂହ ନିଜ ଉଦ୍ୟମରେ ରାସ୍ତାର ଖାଲ ଖମା ସମତୁଲ କରିବା ପାଇଁ ଟ୍ରାକ୍ଟର ଲଗାଇ ମୁରୁମ ପକାଉଥିବା ସୂଚନା ମିଳିଛି।
