ପ୍ରଶାସନ ପକ୍ଷରୁ କଞ୍ଜାମଯୋଡି ଗ୍ରାମରେ ନୋହିଲା ଶାନ୍ତି କମିଟି ଗଠନ

ରାୟଗଡା/କ୍ରାନ୍ତିକ୍ଷେତ୍ର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ  ପଞ୍ଚାୟତର କଞ୍ଜାମଯୋଡି ଗ୍ରାମରେ ଜିଲ୍ଲା ପ୍ରଶାସନ ପକ୍ଷରୁ  ଶାନ୍ତି କମିଟି ଗଠନ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କମିଟି ହୋଇ ନଥିବା ଜଣାପଡିଛି। ଗତ ଜାନୁୟାରୀ ମାସରେ ହିନ୍ଦୁ ଓ ଖ୍ରୀଷ୍ଟିଆନ  ଧର୍ମକୁ ନେଇ ଗ୍ରାମରେ ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ କଲ୍ୟାଣସିଂହପୁର ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପ୍ରଶାସନ  ଉଭୟ ପକ୍ଷକୁ ନେଇ ସମାଧାନ କରିଥିଲେ। ଏହାପରେ ଗ୍ରାମରେ ଶାନ୍ତି କମିଟି ଗଠନ କରିବା ପାଇଁ ନିଷ୍ପତି ନେଇଥିଲେ। ଆଜି ଉପଜିଲାପାଳ ରମେଶ ଚନ୍ଦ୍ର ଜେନା, ଏସଡିପିଓ   ଗୌରହରୀ  ସାହୁ, ଥାନା ଅଧିକାରୀ ନୀଳକଣ୍ଠ ବେହେରା, ତହସିଲଦାର ମାନସ ରଞ୍ଜନ ମାନସେଠ, ବିଡ଼ିଓ ମନୀଷା ଦାସ, ଶିଶୁ ବିକାଶ ପ୍ରକଳ୍ପ ତଥା ବାଲ୍ୟ ବିବାହ ନିଷେଧ ମମତା ଦାସ, ରାଜସ୍ବ ନିରିକ୍ଷକ,  ପ୍ରମୁଖ କଞ୍ଜାମଯୋଡି ଗ୍ରାମରେ ଉପସ୍ଥିତ ରହିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରାମକୁ କୌଣସି ସୂଚନା ନ ଦେଇ  ଶାନ୍ତି କମିଟି ଗଠନ କରିବା ପାଇଁ ଯାଇଥିଲେ। କିନ୍ତୁ ଗ୍ରାମରେ କୌଣସି ବ୍ୟକ୍ତି ଉପସ୍ଥିତ ରହି ନଥିବାରୁ  କିଛି ସମୟ ଅପେକ୍ଷା କରି ଜଗିରହିଥିଲେ। ମଧ୍ୟାହ୍ନ ସମୟରେ ଡ଼ଙ୍ଗର ରୁ ଜଣ ଜଣ କରି ଲୋକେ ଆସିବା ପରେ କିଛି ଲୋକଙ୍କୁ ନେଇ ଗ୍ରାମ ମଝିରେ ବୈଠକ କରିଥିଲେ। ଶାନ୍ତି କମିଟି ଗଠନ କରିବା ପର୍ଯ୍ୟନ୍ତ ପରସ୍ପର ମଧ୍ୟରେ ଶାନ୍ତି ଶୃଙ୍ଖଳାରେ ରହିବା ପାଇଁ ଉପଜିଲ୍ଲାପାଳ ଗ୍ରାମବାସୀଙ୍କୁ ବୁଝାଇ ଥିଲେ। ଆବଶ୍ୟକ ସ୍ଥଳେ  ଅନ୍ୟ ଏକ ଦିନ ବୈଠକ କରିବା ବୋଲି କହିଥିବା ତହସିଲଦାର ମାନସ ରଞ୍ଜନ ମାନସେଠ ସୂଚନା ଦେଇଛନ୍ତି।