ସଧବା ମହିଳା କାହିଁକି ପାଳନ କରନ୍ତି ସାବିତ୍ରୀ ବ୍ରତ

କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ସ୍ବତନ୍ତ୍ର) : ବୁଦ୍ଧି, ଅଧ୍ୟବସାୟ, ନିଷ୍ଠା ଓ ଏକାଗ୍ରତା ବଳରେ ଅସାଧ୍ୟ ସାଧନ କରିହୁଏ, ଯାହାର ରାଶି ରାଶି ପ୍ରମାଣ ସନାତନ ଧର୍ମଧାରାର ଗ୍ରନ୍ଥ ମାନଙ୍କରେ ଦେଖିବାକୁ ମିଳେ। ଏମିତି ଏକ ଆଖ୍ୟାନ ରାଜକନ୍ୟା ସାବିତ୍ରୀଙ୍କୁ ନେଇ ରଚିତ ହୋଇଛି। ମହାଭାରତର ବର୍ଣ୍ଣନା ଅନୁସାରେ ତେଜସ୍ବିନୀ କନ୍ୟା ଥିଲେ ସାବିତ୍ରୀ। ତାଙ୍କ ତେଜ-ବ୍ୟକ୍ତିତ୍ଵ ଆଗରେ ସେ ସମୟର କୌଣସି ପୁରୁଷ ଛିଡାହେଇପାରୁ ନଥିଲେ।

ମାଦ୍ର ଦେଶର ରାଜା ଅଶ୍ଵପତି ସାବିତ୍ରୀ ଦେବୀଙ୍କୁ ପାର୍ଥନା କରି ତାଙ୍କୁ କନ୍ୟା ରୂପରେ ପାଇଥିଲେ। ରାଜକୁମାରୀ ସାବିତ୍ରୀଙ୍କ ବିବାହ ସମୟ ଉପସ୍ଥିତ ହେଲା। ତେବେ ରାଜା ଅଶ୍ଵପତି ତାଙ୍କ ପାଇଁ କିଭଳି ପାତ୍ର ଚୟନ କରିବେ ତାହା ସ୍ଥିର କରି ପାରିଲେ ନାହିଁ। ତେଣୁ ବର ଚୟନ ଭାର ସେ ସାବିତ୍ରୀଙ୍କ ଉପରେ ହିଁ ଛାଡିଦେଲେ। ଦିନେ ରଥାରୂଢ ସାବିତ୍ରୀ ବନସ୍ତ ମଧ୍ୟରେ ଭେଟିଥିଲେ ଶାଲ୍ଵ ରାଜପୁତ୍ରସତ୍ୟବାନଙ୍କୁ। ସେତେବେଳେ ଶାଲ୍ଵ ନରପତି ଦ୍ୟୁମତସେନ ଷଡ଼ଯନ୍ତ୍ରର ଶିକାର ହୋଇ ରାଜ୍ୟରୁ ବିତାଡିତ ହୋଇ ନିଘଞ୍ଚ ଅରଣ୍ୟ ମଧ୍ୟରେ ସପରିବାର ବାସ କରୁଥାଆନ୍ତି। ସତ୍ୟବାନଙ୍କ ରୂପ-ଗୁଣ ଦ୍ଵାରା ସାବିତ୍ରୀ ମୁଗ୍ଧ ହୋଇ କେବଳ ତାଙ୍କୁ ବିବାହ କରିବେ ବୋଲି ହୃଦୟ ଭିତରେ ଅନୁଭବ କଲେ। ସତ୍ୟବାନଙ୍କ ଜୀବନ ସଂକ୍ଷିପ୍ତ ବୋଲି ନାରଦଙ୍କ ଠାରୁ ସୂଚନା ପାଇବା ସତ୍ତ୍ୱେ ସେ ତାଙ୍କୁ ବିବାହ କରି ରହିଥିଲେ ଅରଣ୍ୟର ସେହି ପର୍ଣ୍ଣ କୁଟିରରେ।

ବିବାହର ଠିକ ବର୍ଷକ ପରେ ସତ୍ୟବାନଙ୍କର ମୃତ୍ୟୁ ଘଟିଲା। ସତ୍ୟବାନଙ୍କ ଆତ୍ମାକୁ ନେବା ପାଇଁ ଯମରାଜ ଆସିଲେ। ସାବିତ୍ରୀ କିନ୍ତୁ ତାଙ୍କୁ ଛାଡିବା ଲାଗି ପ୍ରସ୍ତୁତ ନଥିଲେ। ସତ୍ୟବାନ ଆତ୍ମା ସହ ଯିବାକୁ ସ୍ଥିର କରିସାରିଥିଲେ ସେ। ଯମ ତାଙ୍କୁ ବୁଝାଇବାରେ ବିଫଳ ହେବା ପରେ ସତ୍ୟବାନଙ୍କ ଜୀବନ ଭିନ୍ନ ଅନ୍ୟ କିଛି ବର ମାଗିବାକୁ କହିଲେ। ସାବିତ୍ରୀ ଚାହିଁଲେ ଶ୍ବଶୁରଙ୍କ ଦୃଷ୍ଟିଶକ୍ତି ଏବଂ ରାଜ୍ୟ ସାଙ୍ଗକୁ ଶହେ ପୁତ୍ରଙ୍କ ମାଆ ହେବା ପାଇଁ। ଯମ ‘ତଥାସ୍ତୁ’ କହିବା ଛଡା ଅନ୍ୟ ଉପାୟ ନ ଥିଲା। ସାବିତ୍ରୀଙ୍କ ପରି ମହାସତୀ ବିନା ସ୍ଵାମୀରେ ସନ୍ତାନ ଜନ୍ମ କରିବା ମଧ୍ୟ ସମ୍ଭବ ନଥିଲା। ଏଣୁ ଯମରାଜ ବାଧ୍ୟ ହୋଇ ସତ୍ୟବାନଙ୍କ ଜୀବନ ଫେରାଇଦେଲେ ।ସଧବା ନାରୀମାନେ ସ୍ୱାମୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା ପାଇଁ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି। ଏହି ବ୍ରତରେ ଦେବୀ ସାବିତ୍ରୀ, ସତ୍ୟବାନ ଓ ଯମଦେବଙ୍କୁ ମଧ୍ୟ ପୂଜା କରାଯାଏ।