ଯାଜପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ କମାରଡ଼ିହି କୃଷି ପ୍ରାଥମିକ ସେବା ସମିତିରେ ଚଳିତ ରବି ଋତୁରେ ଧାନ କିଣାକୁ ନେଇ ଉପୁଜୁଥିବା ଅବ୍ୟବସ୍ଥା ସମ୍ପର୍କରେ ଚାଷୀମାନଙ୍କ ସହିତ ଆଲୋଚନା କରିଛନ୍ତି ବିଂଝାରପୁର ର ବରିଷ୍ଠ ଭାଜପା ନେତ୍ରୀ ବିବିତା ମଲ୍ଲିକ। ଏନେଇ ଖାନନଗର ସ୍ଥିତ ସାଇ ମନ୍ଦିରରେ ଚାଷୀ ନେତା ଅଲେଖ ମଲ୍ଲିକ, ମନୋଜ ଦାସ,ଅଜୟ ନାୟକ,ଦେବେନ୍ଦ୍ର ପୃଷ୍ଟି,ଶଶଧର ବେହୁରିଆ,ରତିକାନ୍ତ ନାୟକ, ହର୍ଷ କୁମାର ବେହୁରିଆ ପ୍ରମୁଖଙ୍କ ନେତୃତ୍ୱରେ କମାରଡ଼ିହି ସମିତି ରେ ଚଳିତ ବର୍ଷ ଧାନ କିଣାକୁ ନେଇ ହେଉଥିବା ସମ୍ପର୍କରେ ବିବିତା ମଲ୍ଲିକଙ୍କୁ ଅବଗତ କରିଥିଲେ। ଏ ନେଇ ବିବିତା ମଲ୍ଲିକ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ମଣ୍ଡି ସମସ୍ୟାର ସମାଧାନ କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ। ଏହି ଆଲୋଚନା ସମୟରେ କମାରଡ଼ିହି ପ୍ୟାକ୍ସ ସମ୍ପାଦକ ସୁବାସ ନାୟକ ଓ ଖାନନଗର ସରପଞ୍ଚଙ୍କ ପ୍ରତିନିଧି ବିରଜା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି ଚଳିତ ରବି ଋତୁରେ କମାରଡିହ କୃଷି ପ୍ରାଥମିକ ସମିତିଙ୍କୁ ମୋଟ ୨୭ ହଜାର ୪୦ କୁଇଣ୍ଟାଲ ଧାନ କିଣିବାକୁ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ଧର୍ଯ୍ୟ କରାଯାଇଥିଲା। ଯାହା ଜୁନ ମାସ ୩୦ ତାରିଖ ମଧ୍ୟରେ ଶେଷ ହେଉଛି। ମାତ୍ର ସମୟ ଶେଷ ହେବାକୁ ୩ ଦିନ ବାକି ଥିବାବେଳେ ଅଦ୍ୟବଧି ମାତ୍ର ୧୦ ହଜାର ୬୨୫ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ଯାହା ଫଳରେ ପ୍ରାୟ ୧୬ ହଜାର କୁଇଣ୍ଟାଲ ଧାନ ଚାଷୀଙ୍କ ନିକଟରେ ଓ ମଣ୍ଡି ସମ୍ମୁଖରେ ବର୍ଷା ଖରା ଖାଇ ପଡ଼ିରହିଛି। ସେହିପରି ଏହି ସମିତି ଅଧିନସ୍ଥ ଶ୍ରୀ ଗଣେଶ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର କୁଇଣ୍ଟାଲ ଧାନ କିଣା ପାଇଁ ଲକ୍ଷ୍ୟ ଧର୍ଯ୍ୟ କରାଯାଇଥିବା ବେଳେ ଆଜି ସୁଦ୍ଧା ୭ ହଜାର କୁଇଣ୍ଟାଲ ଓ ଧବଳେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀ କୁ ୨ ହଜାର ୩୧୦ କୁଇଣ୍ଟାଲ ଧାନ କିଣା ପାଇଁ ଲକ୍ଷ୍ୟ ଧର୍ଯ୍ୟ କରାଯାଇଥିବା ବେଳେ ଆଜି ସୁଦ୍ଧା ୧ ହଜାର କୁଇଣ୍ଟାଲ ଧାନ କିଣିଛି। ଯାହାଫଳରେ ସମୟ ଶେଷ ହେଉଥିବା କାରଣରୁ ଚାଷୀମାନେ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି। ଏ ସମ୍ପର୍କରେ ପ୍ୟାକ୍ସ ସମ୍ପାଦକ ସୁବାସ ନାୟକଙ୍କ ସହିତ ଯୋଗାଯୋଗ କରାଯାଇଥିବା ବେଳେ ନିୟମିତ ଭାବେ ମିଲର ମାନେ ଧାନ ନେବା ପାଇଁ ଗାଡି ପଠାଉ ନ ଥିବାରୁ ଏଭଳି ସମସ୍ୟା ଉପୁଜୁଛି। ତେଣୁ ଆମେ ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଅବଗତ କରିଛୁ।