ତେନ୍ତୁଳୀଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଗ୍ରାମରେ ବର୍ଷା ଜଳରେ ଗ୍ରାମର ମଧ୍ୟ ଭାଗରେ ଜମାଟ ହୋଇ କୁତ୍ରିମ ପୋଖରୀ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି। ବର୍ଷା ଜଳ ନିଷ୍କାସନରେ ପଞ୍ଚାୟତ ଫେଲ ମରିଥିବା କହିଛନ୍ତି ଗ୍ରାମ ବାସୀ। ଦୀର୍ଘବର୍ଷ ଧରି ଡ୍ରେନ ସଫା ହେଉନଥିବାରୁ ଏହିଭଳି ସମସ୍ୟା ସୃଷ୍ଟି ହେଉଛି। ତେଣୁ ବୃଦ୍ଧି ପାଉଛି ଅସନ୍ତୋଷ। ଗ୍ରାମର ମଧ୍ୟ ଭାଗରେ ପ୍ରତେକ ସାହି ସହ ଇନ୍ଦ୍ରାବତୀ ପ୍ରୋଜେକ୍ଟ କଲୋନୀ ଜଳ ମଧ୍ୟ ଏହି ରାସ୍ତା ଦେଇ ଯାଇଥାଏ। କିନ୍ତୁ ଡ୍ରେନ ନଥିବାରୁ ଜମିରହୁଥିବା ପାଣିରେ ଯାତାୟତରେ ବାଧା ସୃଷ୍ଠି ହେଉଛି। ଖାଲି ଯେ ଯାତାୟତରେ ବାଧା ସୃଷ୍ଠି ହେଉଛି ତାହା ନୁହଁ ଜମି ରହୁଥିବା ଅପରିଷ୍କାର ଜଳ ହେତୁ ଗ୍ରାମରେ ଜ୍ୱର ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଥିବା ଗ୍ରାମବାସୀ କହିଛନ୍ତି। ତେବେ ତୁରନ୍ତ ଡ୍ରେନ ସଫେଇ କରି ଉପଯୁକ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ। ଖାତିଗୁଡା ଗ୍ରାମର କୁମ୍ଭାର ସାହି ,ଦଳେଇ ସାହି ,ହରିଜନ ସାହି,ପାଇକ ସାହି,ଗୌଡ଼ ସାହିର ପ୍ରାୟ ୮୫୦ ରୁ ଉର୍ଦ୍ଧ ପରିବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମ ବାସି ଦାବିକରିଛନ୍ତି।