ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ନବରଙ୍ଗପୁର ଜିଲ୍ଲାପାଳ ଡ.ମହେଶ୍ୱର ସ୍ୱାଇଁ ଏବଂ ଆରକ୍ଷୀ ଅଧୀକ୍ଷକ ସନ୍ଦୀପ ସମ୍ପଦ ମଡକରଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ତଥା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ନବରଙ୍ଗପୁର ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ବିଡିଓ ମନୋଜ କୁମାର ପାଣିଗ୍ରାହୀ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଜନ ଶୁଣାଣି ଶିବିରରେ ମୋଟ ଅଭିଯୋଗ ୪୩ ଆସିଥିଲା। ସେଥିମଧ୍ୟରୁ ୩୬ ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୭ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ ଗୋବିନ୍ଦ କଁହର, କନିଷ୍ଠ ଯନ୍ତ୍ରୀ ବ୍ରଜବିହାରୀ ମହାଙ୍କୁଡ, ଉମା ଶଙ୍କର ସାହାଣୀ, ପଦ୍ମନାଭ ରାଉତ, ବିପିସି ଉମା ମାହେଶ୍ୱରୀଙ୍କ ସହ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଅଭିଯୋଗ ଶୁଣାଣିରେ ଚିତ୍ରକୋଟକୁ ରାଜସ୍ବ ଗ୍ରାମର ମାନ୍ୟତା ଦାବୀ, ଗୋରୁ ଧଡସ ଠାରୁ କାଳିଆ ଚଚେରା ରାସ୍ତା ର ପୁନରୁଦ୍ଧାର ଏହିଭଳି ବହୁଗ୍ରାମ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ବଦଳିକୁ ନେଇ ଗୁଡ଼ାଏ ଅଭିଯୋଗ ଆସିଥିଲା। ଏସଏସଡି ଉଚ୍ଚ ବିଦ୍ୟାଳୟ ପାତ୍ରପୁଟକୁ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ପ୍ରସ୍ତାବ ତିନି ବର୍ଷ ହେଲାଣି କାର୍ଯ୍ୟକାରୀ ହେଉ ନାହିଁ, ତେନ୍ତୁଳିଖୁଣ୍ଟି ବ୍ଲକ ରେ ତିନି ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ସ୍ବୀକୃତି ମିଳି କାର୍ଯ୍ୟକାରୀ ହୋଇଥିବା ବେଳେ ପାତ୍ରପୁଟ ବଞ୍ଚିତ ହୋଇଛି ଏଣୁ ତୁରନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ ନିମନ୍ତେ ୫ ଗୋଟି ଗ୍ରାମପଞ୍ଚାୟତ ର ଗ୍ରାମବାସୀ, ଭଦ୍ରବ୍ୟକ୍ତି, ଜନପ୍ରତିନିଧି ଦାବୀ ରଖିଥିଲେ। ତେନ୍ତୁଳିଖୁଣ୍ଟିର ବସଷ୍ଟାଣ୍ଡ, ଖେଳ ପଡିଆ, ଜମି ଜମା ସଂକ୍ରାନ୍ତୀୟ ଦାବୀ ରହିଥିଲା। ଅଞ୍ଚଳଗୁମ୍ମା ଗ୍ରାମ ପଞ୍ଚାୟତର ୧୦୦ ରୁ ଉର୍ଦ୍ଧ୍ବ ମହିଳା ମଦ ବିକ୍ରି ବନ୍ଦ କରିବା,କଂଗ୍ରା ଗ୍ରାମର ଭଦ୍ରବ୍ୟକ୍ତି,ବିଜେପିର ରାଜ୍ୟ କୃଷକ ମର୍ଚ୍ଚା କାର୍ଯ୍ୟ କାରିଣୀ ସଦସ୍ୟ ଦେଶୀ ମଦ ବିକ୍ରି ବନ୍ଦ ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ଦାବି ରଖିଥିଲେ।