ଜୟପାଟଣାରେ ବେଆଇନ ବାଣ ଜବତ

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଚିତ୍ରସେନ ବାଗ) : କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଧର୍ମଗଡ଼ ଏସଡିପିଓ ଡୋଳାମଣି ଭୋଇଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ପୋଲିସର ସ୍ପେଶାଲ ସ୍ୱାଡ଼ ଜୟପାଟଣା ସହରରେ ଥିବା ବଜରଙ୍ଗ ଅଗ୍ରୱାଲ୍ ଘରେ ବେଆଇନ ବାଣ ଗଚ୍ଛିତ ନେଇ ଚଢ଼ାଉ କରିଥିଲେ। ଏବଂ ସେଠାରୁ ୪ ଗାଡି ବିଭିନ୍ନ ପ୍ରକାର ବାଣ ଜବତ କରିଛି। ଘଟଣା ସ୍ଥଳରେ ଏସ୍ଡିପିଓ ଶ୍ରୀଭୋଇ, ଜୟପାଟଣା ଥାନା ଅଧିକାରୀଣୀ ସ୍ନିଗ୍ଧାରାଣୀ ସୁନା ପହଞ୍ଚି ଥିବାବେଳେ ସମସ୍ତ ବାଣକୁ ଗାଡ଼ିରେ ଲୋଡ଼ କରି ଭବାନୀପାଟଣା ପୋଲିସ ବ୍ୟାରେକକୁ ନିଆଯାଇଛି।

ବର୍ତ୍ତମାନ ବଜରଙ୍ଗ ଘରେ ନଥିବା ବେଳେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କୁ ପୋଲିସ ପଚରାଉଚରା କରୁଛି। ତେବ ବିପୁଳ ପରିମାଣର ବାଣ କେଉଁଠାରୁ ଆସି ଏଭଳି ବେଧଡକ ଭାବେ ଗଚ୍ଛିତ ହୋଇ ବିକ୍ରି ହେଉଥିଲା ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ। ସମସ୍ତ ଜବତ ବାଣକୁ ଭବାନୀପାଟଣାରେ ଆକଳନ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଏ ନେଇ ଜୟପାଟଣା ଥାନାରେ ବିସ୍ଫୋରଣ ସାମଗ୍ରୀ ଗଚ୍ଛିତ ଓ ବିକ୍ରି ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଜବତ ବାଣ ଗୁଡିକର ଆନୁମାନିକ ଭାବେ ୨୦ ରୁ ୩୦ ଲକ୍ଷ ଟଙ୍କାର ହେବ ବୋଲି ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ତଦନ୍ତ ଜାରି ରହିଛ।