କଲମପୁର/କ୍ରାନ୍ତିକ୍ଷେତ୍ର ନ୍ଯୁଜ୍ (ଗଣେଶରାମ ବାଗ) : ‘କ୍ଷୁଦ୍ର ଯହିଁ ନିହିତ ତହିଁ ସମ୍ଭାବନା ବହୁ’। ଶିଶୁ ମାନଙ୍କ ମଧ୍ୟରେ ଅନେକ ସମ୍ଭାବନା ରହିଛି। ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ। ସେମାନଙ୍କ ଲୁକ୍କାୟିତ ପ୍ରତିଭାର ଅନ୍ଵେଷଣ କରି ସଠିକ୍ ମାର୍ଗ ପ୍ରଦର୍ଶନ କଲେ ସେମାନେ ସଫଳତାର ଚରମ ଶିଖରରେ ପହଞ୍ଚି ପାରିବେ। ବିଦ୍ୟାଳୟରେ ଅଧ୍ୟୟନରତ ଶିଶୁ ମାନଙ୍କ ବିଭିନ୍ନ ଦିଗରେ ବିକାଶ ପାଇଁ ସରକାରଙ୍କ ଦ୍ଵାରା ପ୍ରତ୍ୟେକ ବର୍ଷ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର ଆଦର୍ଶ ବିଦ୍ୟାଳୟ ପରିସରରେ ଆଜି ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଛି। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ଗୁଡିକରେ ମୋଟ ୬ ଗୋଟି କ୍ଲଷ୍ଟରର ଶତାଧିକ ଛାତ୍ରୀ ଛାତ୍ର ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବରେ କଲମପୁର ବ୍ଲକ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକ ସଭାପତିତ୍ବ କରିଥିଲାବେଳେ ମୂଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ, ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ସାହିତ୍ୟିକ ସତ୍ୟନାରାୟଣ ପଟ୍ଟନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ କୁଳମଣି ମାଝୀ, ଅନ୍ୟତମ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ବେହେରା ଏବଂ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ରାହୁଲ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଛାତ୍ରୀ ଛାତ୍ର ବିଭିନ୍ନ ବର୍ଗର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସେମାନଙ୍କ ପ୍ରତିଭାର ପ୍ରଦର୍ଶନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଦଳଗତ ନୃତ୍ୟ ସମସ୍ତଙ୍କୁ ମନ ମୋହିଥିଲା। ଉଦଯାପନୀ ଉତ୍ସବରେ କଲମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଣ୍ଡାଙ୍ଗୀ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କଲମପୁର ଜୋନ ୨ ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ହଂସ, ବ୍ଲକ କନିଷ୍ଠ ଯନ୍ତ୍ରୀ ପିତାମ୍ବର ହେମ୍ବ୍ରମ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ମଞ୍ଚ ପରିଚାଳନା ରେ ବରିଷ୍ଠ ଶିକ୍ଷକ ମନ୍ମଥ କୁମାର ମିଶ୍ର ଓ ତ୍ରିନାଥ ବାଗ, ନବଘନ ସାହୁ, ଅନିଲ ମାଝୀ ଏବଂ ସନ୍ତୋଷ କୁମାର ଚୌଧୁରୀ ସହଯୋଗ କରିଥିଲେ। ପୁରସ୍କାର ପ୍ରଦାନ ପରେ ଜିଲ୍ଲା ସ୍ତରୀୟ ସୁରଭିରେ ଯୋଗଦାନ ସମ୍ବନ୍ଧରେ ସୁଚନା ସହ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ ସହ ସଭା ସାଙ୍ଗ କରାଯାଇଥିଲା। ଅତିଥି ମାନଙ୍କ ଦ୍ବାରା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

