ଦୁର୍ଗମ ଅଞ୍ଚଳରେ ଆଧାର କଣ୍ଟା : ପ୍ରାଥମିକ ଶିକ୍ଷାରୁ ବଞ୍ଛାଚିତ ଛାତ୍ରଛାତ୍ରୀ

ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଚିତ୍ରସେନ ବାଗ) : ଗରିବ ଲୋକମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତୃଣମୂଳ ସ୍ତରରେ ସେସବୁ ବାଟବଣା ହେଉଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ନବରଙ୍ଗପୁର ଜିଲ୍ଲା ସୀମାନ୍ତକୁ ଲାଗିଥିବା ଧନସୁଲି ଗ୍ରାମପଞ୍ଚାୟତର କେନ୍ଦୁଗୁଡା ଗାଁରେ ଏବେବି ସାଧାରଣ ମୌଳିକ ସୁବିଧା ଲୋକଙ୍କୁ ମିଳୁପାରି ନାହିଁ। ସାମାନ୍ୟ ଆଧାର କାର୍ଡ ନ ଥିବାରୁ କୁନି କୁନି ଛୁଆ ମାନେ ପ୍ରାଥମିକ ଶିକ୍ଷା ରୁ ବଞ୍ଚିତ ହେବା ସହ ଅନେକ ବୃଦ୍ଧ ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ସାତସପନ ହୋଇଛି।ଗାଆଁରେ ନିରୀହ ଗରିବ ଆଦିବାସୀ ମାନେ ବସବାସ କରୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ଜନ୍ମ ପଞ୍ଜିକରଣ ପ୍ରମାଣ ପତ୍ର ମଧ୍ୟ ନାହିଁ। ଯାହାଫଳରେ ତାଙ୍କର କୁନି କୁନି ଛୁଆ ମାନଙ୍କ ଆଧାର କାର୍ଡ ହୋଇପାରୁ ନାହିଁ। ଆଧାର କାର୍ଡ ପାଇଁ ନା ମିଳୁଛି ଆହାର ନା ମିଳିପାରୁଛି ସ୍କୁଲରେ ଏଡ଼ମିଶନ। ଏପରିସ୍ଥଳେ ଗାଁର ଅନେକ କୁନି କୁନି ଛୁଆଙ୍କ ଭବିଷ୍ୟତ ଅନ୍ଧାରରେ ଗତି କରୁଛି।ଇଛା ଥାଇ ମଧ୍ୟ ଅନେକ ଛାତ୍ରଛାତ୍ରୀ ସ୍କୁଲ ଯାଇ ପାରୁନାହାନ୍ତି। ସ୍କୁଲ ରେ ଏଡ଼ମିଶନ ପାଇଁ ଆଧାର କାର୍ଡ ଜରୁରୀ ବୋଲି ଜାଣିବା ପରେ କୁନି କୁନି ଛୁଆଙ୍କୁ ଧରି ବସ ଯୋଗେ ଜୟପାଟଣା ଆଧାର ସେଣ୍ଟର କୁ ବାରମ୍ବାର ଆସିଲେଣି କିନ୍ତୁ ହୋଇପାରୁ ନାହିଁ ଆଧାର କାର୍ଡ। ଆଧାର କାର୍ଡ ପାଇଁ ଜନ୍ମ ପଞ୍ଜିକରଣ ପ୍ରମାଣ ପତ୍ର ଦରକାର, ଯାହା ତାଙ୍କ ପାଖରେ ବର୍ତ୍ତମାନ ନାହିଁ।ଶେଷରେ ଅନେକ ଥର ହଇରାଣ ହୋଇ ବର୍ତ୍ତମାନ ଭାଗ୍ୟ ଭରସା ରେ ରହିଛନ୍ତି ଏଠାକାର ଆଦିବାସୀ। ଏପରି ଗ୍ରାମପଞ୍ଚାୟତ ର ଅନେକ ଛାତ୍ରଛାତ୍ରୀ ମାନେ ଶିକ୍ଷା ଓ ଖାଦ୍ୟ ସୁରକ୍ଷା ଯୋଜନାରୁ ବଂଚିତ କିନ୍ତୁ ତାହାର ନିରାକରଣ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ଅଦ୍ୟାବଧି ଗ୍ରହଣ କରାଯାଇ ନାହିଁ। ଜୟପାଟଣା ରୁ ମାତ୍ର ୮ କିମି ଦୂରରେ ଥିବା ଗାଁ ର ଏଭଳି ଅବସ୍ଥା।ଲୋକଙ୍କୁ ନୂଆ ଆଧାର କାର୍ଡ କି ସଂଶୋଧନ କରିବା ପାଇଁ ଅନେକ ସମସ୍ୟା ସାମ୍ନା କରିବା ପାଇଁ ପଡୁଛି ଆଧାର କାର୍ଡ ପାଇଁ କେହି ସରକାରୀ ଯୋଜନା ତଥା ତାଙ୍କର ଅଧିକାରରୁ ବଂଚିତ ନ ହୁଅନ୍ତୁ ବୋଲି ନିୟମ ଥିବା ସ୍ଵତ୍ତ୍ୱେ ମଧ୍ୟ ଆଧାର କାର୍ଡ ନାହିଁ ତୋ କିଛି ନାହିଁ ଭଳି ସ୍ଥିତି ଉତ୍ପନ୍ନ ହୋଇଛି। ଏ ନେଇ ସ୍ଥାନୀୟ ସରପଞ୍ଚ କୈଳାସଚନ୍ଦ୍ର ସାହୁ ଙ୍କୁ ପଚାରିବାରୁ ସେ ମୁଁ ଏ ନେଇ ବିଡ଼ିଓ ତଥା ଅନେକ ଥର ସମିତି ମିଟିଙ୍ଗ ରେ କହିଛି କିନ୍ତୁ କିଛି ସମାଧାନ ହୋଇନାହିଁ ବୋଲି କହିଛନ୍ତି।