ନୂଆପଡ଼ା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ନୂଆପଡା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ମତଗଣନା ଶେଷ ହୋଇଛି। ଏବଂ ବିଜେପିର ପ୍ରାର୍ଥୀ ବିଶାଳ ଭୋଟରେ ବିଜୟୀ ହୋଇଛନ୍ତି। ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆ ୧,୨୩,୮୬୯ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୪୦,୧୨୧ ଖଣ୍ଡ ଭୋଟ୍ ମିଳିଛି। ଅର୍ଥାତ ଜୟ ଢୋଲକିଆ ୮୩,୭୪୮ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଓ ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି । ତେବେ ନିର୍ବାଚନ କମିସନ ପକ୍ଷରୁ ନୂଆପଡା ନିର୍ବାଚନ ନେଇ ଆନୁଷ୍ଠାନିକ ଭାବେ ଘୋଷଣା ବାକି ଅଛି। ଢୋଲକିଆଙ୍କ ବିଜୟ ବିଜେପି ଶିବିର ଖୁସିର ମାହୋଲ ଦେଖିବାକୁ ମିଳିଛି। ନୂଆପଡ଼ା ଓ ଭବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ବିଜୟ ଉତ୍ସବ। ଢୋଲକିଆଙ୍କୁ ନେଇ କର୍ମୀମାନେ ଶୋଭାଯାତ୍ରା କରିଛନ୍ତି। ଢୋଲକିଆଙ୍କୁ ଅଭିନନ୍ଦନର ସୁଅ ଛୁଟିଛି। ନୂଆପଡାରେ ପୁଣି ଥରେ ପଦ୍ମ ଫୁଟିଛି। ଏହା ପୁଣି ୧୦ ବର୍ଷ ପରେ। ନୂଆପଡାର ଜନତା ଭାରତୀୟ ଜନତା ପାର୍ଟିକୁ ପୁଣି ଥରେ ବିପୁଳ ଭୋଟ୍ ଦେଇଛନ୍ତି। ବିଜୟୀ ପ୍ରାର୍ଥୀ ଜୟ ଢୋଲକିଆ ବିଜୟ ଶୋଭାଯାତ୍ରା କରିଛନ୍ତି। ସେ ଖରିଆର ରୋଡ୍ରେ ନିଜ ପରିବାର ଏବଂ ସମର୍ଥକମାନଙ୍କ ସହିତ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ନୂଆପଡାରେ ଜୟ ଢୋଲକିଆ (ବିଜେପି): ୧,୨୩,୮୬୯, ଘାସିରାମ ମାଝୀ (କଂଗ୍ରେସ): ୪୦,୧୨୧, ସ୍ନେହାଙ୍ଗିନୀ ଛୁରିଆ (ବିଜେଡି): ୩୮,୪୦୮, ଲୋଚନ ସିଂହ ମାଝୀ (ସ୍ୱାଧୀନ): ୨,୧୩୭, ଲକ୍ଷ୍ମୀକାନ୍ତ ତାଣ୍ଡି (ସ୍ୱାଧୀନ): ୧,୩୨୨, କିଶୋର କୁମାର ବାଗ (ସ୍ୱାଧୀନ): ୭୪୩, ଭୁବନଲାଲ ସାହୁ (ସ୍ୱାଧୀନ): ୭୨୧, ହେମନ୍ତ ତାଣ୍ଡି (ସ୍ୱାଧୀନ): ୬୬୨, ଚକ୍ରାନ୍ତ ଜେନା (ସ୍ୱାଧୀନ): ୫୨୯, ଭକ୍ତବନ୍ଧୁ ଧରୁଆ ସ୍ୱାଧୀନ): ୫୧୧, ରମାକାନ୍ତ ହାତୀ (ସମାଜବାଦୀ ପାର୍ଟି): ୪୮୯, ନୀତା ବାଗ (ସ୍ୱାଧୀନ): ୫୨୯, ଆଶ୍ରୟ ମହାନନ୍ଦ (ସ୍ୱାଧୀନ): ୧୯୧, ସୁକଧର ଦଣ୍ଡସେନା (ଓଡିଶା ଜନତା ପାର୍ଟି): ୧୬୭ ଭୋଟ ପାଇଛନ୍ତି। ପୋଷ୍ଟାଲ ବାଲାଟ୍ରେ ବିଜେପି: ୧୧୨, କଂଗ୍ରେସ: ୫୫ ଓ ବିଜେଡି ୩୦ ଭୋଟ ପାଇଛି। ୮୯ଟି ଭୋଟ ନାକଚହୋଇଛି। ନୂଆପଡା ନିର୍ବାଚନରେ ବିଜୟ ହାସଲ କରିବା ପରେ ଓଡିଶା ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟା ୭୯ରେ ପହଞ୍ଚିଛି। ଅନ୍ୟପଟରେ ବିଜେଡିର ସଂଖ୍ୟା ୫୧ରୁ ୫୦କୁ ହ୍ରାସ ପାଇଛି । ବିଜେପି ଶିବିରରେ ଉତ୍ସାହ ଦେଖାଯାଇଛି। ନୂଆପଡାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ନେତା, କର୍ମୀ ଉତ୍ସାହିତ ଅଛନ୍ତି। ବିଜେପିର ବରିଷ୍ଠ ନେତାଙ୍କ ଘରେ ବିଜୟର ମାହୋଲ ଦେଖାଯାଇଛି। ନୂଆପଡାକୁ ନେଇ ଚର୍ଚ୍ଚା ହେଉଛି। ଓଡିଶା ବିଧାନସଭା ନିର୍ବାଚନ- ୨୦୧୪ରେ ନୂଆପଡା ଆସନରେ ଭାରତୀୟ ଜନତା ପାର୍ଟି ପ୍ରଥମ ଥର ପଦ୍ମ ଫୁଟାଇଥିଲା। ସେହି ସମୟରେ ବିଜେପିର ପ୍ରାର୍ଥୀ ବସନ୍ତ ପଣ୍ଡା ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ତାଙ୍କୁ ୫୫,୨୫୨ ଖଣ୍ଡ ଭୋଟ୍ ମିଳିଥିଲା। ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କୁ ୪୬,୨୦୭ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବସନ୍ତ ପଣ୍ଡା ୯,୬୧୦ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ।
