ଜଳନ୍ଧର ନାଏକ କଳାହାଣ୍ଡି କଂଗ୍ରେସର ନୂତନ ଜିଲ୍ଲା ସଭାପତି

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା କଂଗ୍ରେସର ନୂତନ ସଭାପତି ଭାବେ ଜଳନ୍ଧର ନାଏକଙ୍କୁ ଓଡିଶା ପ୍ରଦେଶ କଂଗ୍ରେସ ପାର୍ଟି ପକ୍ଷରୁ ମନୋନୀତ କରାଯାଇଛି। ଛାତ୍ର ଜୀବନରୁ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ଶ୍ରୀ ନାଏକ ସକ୍ରିୟ ରାଜନୀତିରେ ମଧ୍ୟ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି। କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ ବିଭିନ୍ନ ସମୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି ଏବଂ ସେଗୁଡିକ ସୂଚାରୁ ରୂପେ ତୁଲାଇ ଶ୍ରୀ ଦାସଙ୍କ ବିଶ୍ୱାସ ଓ ଭରସାର ପାତ୍ର ହୋଇପାରିଛନ୍ତି। କଂଗ୍ରେସର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ଦଳ ସ୍ବାର୍ଥରେ କାର୍ଯ୍ୟ କରି ଆସୁଛନ୍ତି। ଶ୍ରୀ ନାଏକ ଥୁଆମୂଳ ରାମପୁର ବ୍ଲକ କଂଗ୍ରେସର ଯୁବ ସଭାପତି ଏବଂ ପରେ ସଭାପତି ଦାୟିତ୍ୱରେ ରହିଥିଲେ। ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଦାୟିତ୍ୱ ନେଲାପରେ ରାଜ୍ୟ କଂଗ୍ରେସକୁ ସଜାଡିବା ସହିତ ପାର୍ଟି ସଂଗଠନକୁ ସୁଦୃଢ କରିବାରେ ଲାଗିଛନ୍ତି। ବର୍ତ୍ତମାନ ତୃଣମୂଳ ସ୍ତରରୁ କିଭଳି କଂଗ୍ରେସ ସଂଗଠନ ପାଇଁ କାର୍ଯ୍ୟ କରିବାକୁ ପଡିବା ସହିତ କର୍ମୀ ମାନଙ୍କୁ ନେଇ ପାର୍ଟିର ଉଜ୍ବଳ ଭବିଷ୍ୟତ ନିର୍ମାଣ କରିବା ପ୍ରଥମ ଲକ୍ଷ୍ୟ ବୋଲି ନୂତନ ଜିଲ୍ଲା ସଭାପତି ଶ୍ରୀ ନାଏକ ସୂଚନା ଦେଇଛନ୍ତି। ପିସିସି ସଭାପତି ଶ୍ରୀ ଦାସ ଏବଂ ଦଳର ବରିଷ୍ଠ ନେତାଙ୍କ ଉଚିତ ପରାମର୍ଶ କ୍ରମେ ଆଗାମୀ କାର୍ଯ୍ୟକ୍ରମ ପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ନାଏକ କହିଛନ୍ତି। ଥୁଆମୂଳ ରାମପୁର ବ୍ଲକର ଜଣେ ଯୁବକ ଜିଲ୍ଲା ସଂଗଠନର ମୁଖ୍ୟ ଦାୟିତ୍ୱ ପାଇଥିବା ନେଇ ବ୍ଲକ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଜିଲ୍ଲା ସଭାପତି ମନୋନୀତ ହୋଇଥିବାରୁ ଜଳନ୍ଧର ନାଏକଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।