ସମିତିସଭ୍ୟ ଆତ୍ମହତ୍ୟା ଘଟଣା ; ଯୁବକ ଗିରଫ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ବହୁ ଚର୍ଚ୍ଚିତ ଖୁଣ୍ଟିଆ ସମିତି ସଭ୍ୟ ଦେବେନ୍ଦ୍ର ଧରୁଆ ଆତ୍ମହତ୍ୟା ମାମଲାରେ କୋକସରା ଥାନା ପୁଲିସ ଖୁଣ୍ଟିଆ ପଞ୍ଚାୟତ ବନ୍ଦପଡାର ଚିତ୍ତ ଗହିରଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ଅଭିଯୋଗ ଅନୁସାରେ, ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଦେବେନ୍ଦ୍ର ଧରୁଆ ଗତ ୨୪ ତାରିଖ ଦିନ ପିପଲପଡା ସ୍ଥିତ ନିଜ ବାସଭବନରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେବେ ଦେବେନ୍ଦ୍ରଙ୍କ ଆତ୍ମହତ୍ୟା ପଛରେ ସ୍ଥାନୀୟ ଅଞ୍ଚଳର ଯୁବକ ଚିତ୍ତ ଗହିରଙ୍କ ସମ୍ପୃକ୍ତି ଥିବା ନେଇ ମୃତ ସମିତି ସଭ୍ୟଙ୍କ ବଡ଼ ଭାଇ କୋକସରା ଥାନାରେ ଅଭିଯୋଗ କରିଥିଲେ। ଆତ୍ମହତ୍ୟା ପୂର୍ବରୁ ମୃତ ସମିତି ସଭ୍ୟ ମଧ୍ୟ ନିଜ ଜୀବନ ପ୍ରତି ବିପଦ ଥିବା ନେଇ ଉକ୍ତ ଯୁବକଙ୍କ ନାଁରେ ଗତ ୧୬ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଯୁବକଙ୍କ ବିରୁଦ୍ଧରେ କୋକସରା ଥାନା ପୁଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଯାହା ଫଳରେ ମାନସିକ ଚାପରେ ଆସି ଦେବେନ୍ଦ୍ର ଧରୁଆ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଆଦିବାସୀ ସଂଘ ହସ୍ତକ୍ଷେପ କରି କୋକସରା ପୁଲିସର ଅବହେଳା ଦର୍ଶାଇ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲା। ଏହାପରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ମାମଲାର ତଦନ୍ତ ସହ ଛାନଭିନ ଆରମ୍ଭ କରାଯାଇଥିଲା। ଏହି ଘଟଣାର ତନାଘନା ଆରମ୍ଭ ପରେ ଫେରାର ଯୁବକଙ୍କୁ ଓଡିଶା ଛତିଶଗଡ଼ ସୀମା ଅଞ୍ଚଳରୁ ବୁଧବାର ଗିରଫ କରାଯାଇଥିଲା। ଗୁରୁବାର ଅଭିଯୁକ୍ତ ଚିତ୍ତ ଗହିରକୁ ପୁଲିସ କୋର୍ଟ ଚାଲାଣ କରିଥିବା କୋକସରା ଥାନା ପକ୍ଷରୁ ସୂଚନା ମିଳିଛି।