ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ସବୁଦିନିଆ ରାସ୍ତା ଖଣ୍ଡେ ନଥିବା ଯୋଗୁଁ ଦୁର୍ଗମ ଅଞ୍ଚଳ ବାସୀଙ୍କୁ ଭୋଗିବାକୁ ପଡିଥାଏ ନାହିଁ ନଥିବା ଦୁର୍ଦ୍ଦଶା। ସ୍ବାସ୍ଥ୍ୟ ସେବା ଭଳି ଜରୁରୀକାଳୀନ ପରିସ୍ଥିତିରେ ସମସ୍ୟା ସାଂଘାତିକ ହୋଇପଡିଥାଏ।ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରେନି ବୋଲି ଜୀବନ ଯନ୍ତ୍ରଣାରେ ଛଟପଟ ରୋଗୀ ତଥା ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହା ହେବା ଭଳି ଅନେକ ଘଟଣା ଘଟିଥାଏ।
ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅଧିନସ୍ଥ ବାର୍ଷିକୋଣା ଗାଁରେ। ଗାଁର ମହେନ୍ଦ୍ର ମାଝୀଙ୍କ ସ୍ତ୍ରୀ ରଞ୍ଜିତା(୨୨) ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଡାକ୍ତରଖାନା ନେବାପାଇଁ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରାଯାଇଥିଲା। ସୂଚନା ପରେ ଆମ୍ବୁଲାନ୍ସ ଆସି ଅଧବାଟର ଇନ୍ଦ୍ରାବତୀ କେନାଲ ରାସ୍ତାରେ ଅଟକି ଅପେକ୍ଷା କରିଥିଲା। ଆଗକୁ ରାସ୍ତା ଠିକ୍ ନଥିବା ଯୋଗୁଁ ଆମ୍ବୁଲାନ୍ସ ଆଗକୁ ବଢିପାରିନଥିଲା। ଗ୍ରାମବାସୀଙ୍କ ସହଯୋଗରେ ଖଟିଆରେ ବୁହାହୋଇ ପ୍ରାୟ ଦୁଇ କିଲୋମିଟର ଦୂରରେ ଅଟକି ଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ।ବର୍ତ୍ତମାନ ଗର୍ଭବତୀ ମହିଳା କଲମପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ଏଠାରେ ସୂଚନାଯୋଗ୍ୟ ଯେ ବାର୍ଷିକୋଣା ଗାଁ ଥୁଆମୂଳ ରାମପୁର ବ୍ଲକ ହୋଇଥିଲେ ମଧ୍ୟ ଏଭଳି ଜରୁରୀକାଳୀନ ପରିସ୍ଥିତିରେ କଲମପୁର ଏବଂ ଜୁନାଗଡ ବ୍ଲକ ଉପରେ ନିର୍ଭରଶୀଳ।
ଅତୀତରେ ଅନେକ ଅଭୂଲା ଦୁର୍ଦ୍ଦଶାର ଶିକାର ହୋଇଛନ୍ତି ବାର୍ଷିକୋଣା ବାସୀ। ପ୍ରାୟ ୫୦ କିଲୋମିଟର ଦୂର ନିଜ ପଞ୍ଚାୟତକୁ ଯିବାକୁ ହେଲେ ଜୁନାଗଡ ଅଞ୍ଚଳ ସୀମାଠୁ ବାହାରି କଲମପୁର ବ୍ଲକ ଅତିକ୍ରମ କରି ବିପଦ ସଂକୁଳ ସିଙ୍ଗାରୀ ଘାଟି ରାସ୍ତାରେ ଯିବାକୁ ପଡିଥାଏ। ଏମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅତୀତରେ ଭୋଟ୍ ବର୍ଜନ ଭଳି ପନ୍ଥା ଅବଲମ୍ବନ କରିଥିଲେ ସୁଦ୍ଧା ଆଜିବି ଏଭଳି ଦୟନୀୟ ଚିତ୍ର ଦେଖିବାକୁ ମିଳୁଛି।